ଭୁବନେଶ୍ବର, ୦୧/୦୫ : ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ। ବିଭିନ୍ନ ସ୍ଥାନରେ ଉଡ଼ିଲା ଘରର ଛପର । ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ । କଟକ ସତରୀଚଉରା ଛକରେ କାଳବୈଶାଖୀ ପ୍ରଭାବରେ ୩୦ ଫୁଟର ହୋର୍ଡିଂ ଭୁଶୁଡ଼ି ପଡ଼ିଛି । ବାଙ୍କୀ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ଓ ବର୍ଷା । ପ୍ରଭାବରେ ଭାଙ୍ଗିଲା ବଡ଼ ବଡ଼ ଗଛ । ରାସ୍ତାରେ ଉପରେ ଗଛ ପଡ଼ି ଯାତାୟାତ ଠପ୍ ହୋଇଯାଇଛି । ରାମଚନ୍ଦ୍ରପୁର କଳାପଥର ରାସ୍ତାର ଦୁଇ ପଟରେ ଗାଡ଼ିଗୁଡ଼ିକ ଅଟକି ରହିଛି । ବାଙ୍କୀ ଅଗ୍ନିଶମ ବିଭାଗ ଗଛ କାଟି ରାସ୍ତା ସଫେଇ କରୁଛନ୍ତି। ସେହିପରି ଅନୁଗୁଳରେ କାଳବୈଶାଖୀ ତାଣ୍ଡବ ରଚିଛି । ବର୍ଷା ଓ ଝଡ଼ରେ ସହରର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ପଡ଼ି ରାସ୍ତା ବ୍ଲକ ହୋଇଛି । ୫୫ନମ୍ବର ଜାତୀୟ ରାଜପଥରେ ଯାତାୟାତ ଠପ୍ । ସ୍ଥାନୀୟ ଲୋକମାନେ ଓ ଯାତ୍ରୀଙ୍କ ସହଯୋଗରେ ଗଛ କାଟି ରାସ୍ତା ସଫେଇ କରିଛନ୍ତି ।
ଅନ୍ୟପଟେ, ପାରାଦୀପରେ ୨ଘଣ୍ଟା ଧରି ବର୍ଷା ପବନ ହୋଇଥିଲା । ଅନେକ ସ୍ଥାନରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି । ନୂଆପଡ଼ା ସୁବର୍ଣ୍ଣପୁରରେ ବର୍ଷା ସହ କୁଆପଥର ମାଡ । ବୋଡ଼େନ ବ୍ଲକ ଓ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଘୂର୍ଣ୍ଣିଝଡ଼ ସହ ଘଡ଼ଘଡ଼ି ବର୍ଷା ଓ କୁଆପଥର ମାଡ଼ ହୋଇଛି । କୁଆପଥର ମାଡରେ ଚାଷୀଙ୍କ ରବିଧାନ ଫସଲ ଓ ପନିପରିବା ଚାଷ ନଷ୍ଟ ହୋଇଯିବା ଆଶଙ୍କାରେ ଚାଷୀ ଭୟଭୀତ ହୋଇଛନ୍ତି । ସେହିପରି ନରସିଂହପୁର ବ୍ଲକରେ ବଜ୍ରପାତ ଘଟି ଜଳିଗଲା ଏକାଧିକ ଗଛ । ନୂଆପାଟଣା ଗାଁର ବିଶ୍ବଜିତ ମାଝୀ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବଡ଼ବଡ଼ ଗଛ ପଡି ରାସ୍ତା ଅବରୋଧ ହୋଇଛି ।
ଭୁବନେଶ୍ୱର ଓ କଟକରେ ଗତ କାଲି ସନ୍ଦ୍ୟା ଠାରୁ ଆଜି ସକାଳ ପଯ୍ୟନ୍ତ ବର୍ଷା ଲାଗିରହିଥିବା ବେଳେ ଆଗାମୀ ୩ ଘଣ୍ଟା ମଧ୍ୟରେ ରାୟଗଡା, ଗଜପତି, ଗଞ୍ଜାମ, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟମ ଧରଣର ବଜ୍ରପାତ ସହ ପବନ ବହିବା ସମ୍ଭାବନା । ପବନର ବେଗ ୪୦ ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ବୋହିପାରେ , ହାଲୁକା ରୁ ମଧ୍ୟମ ବର୍ଷା ହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ। ଏହି ପରିସ୍ଥିତିରେ କିଛି କ୍ଷତି ଓ କୃଷି ଫସଲରେ ପ୍ରଭାବ ପଡ଼ିପାରେ ବୋଲି ସଚେତନ କରାଯାଇଛି । ସେପଟେ କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ବାଲେଶ୍ୱର ଜିଲ୍ଲା ପାଇଁ Yellow Warning ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକରେ ମଧ୍ୟ ବଜ୍ରପାତ ସହ ବର୍ଷାର ସମ୍ଭାବନା ରହିଛି । ଲୋକମାନଙ୍କୁ ସତର୍କ ରହିବାକୁ ଓ ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନକୁ ଯିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି ।