ଢେଙ୍କାନାଳ ଜିଲ୍ଲାରେ ଘଟିଛି ହୃଦୟ ବିଦାରକ ଘଟଣା : ମହିଳାଙ୍କୁ ଦୁଷ୍କର୍ମ ପରେ, ଟ୍ରଲିରେ ବୋହି ଡାକ୍ତରଖାନା ନେଲେ ସ୍ୱାମୀ
ଭୁବନେଶ୍ୱର, ୩୦/୦୪ : ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ମରଣାନ୍ତକ ଆକ୍ରମଣ କରାଯାଇଛି । ଆଉ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସ୍ତ୍ରୀକୁ ଟ୍ରଲିରେ ବୋହି ଡାକ୍ତରଖାନା ନେଇଛନ୍ତି ସ୍ୱାମୀ । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରୁ ଏଭଳି ହୃଦୟ ବିଦାରକ ଖବର ଆସିଛି । ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଜଣେ ମହିଳା ସାପୁଆ ନଈକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ କେହି ଜଣେ ଦୁର୍ବୃତ୍ତ ମହିଳାଙ୍କୁ ଏକ ବୁଦା ମୂଳକୁ ଟାଣି ନେଇଥିଲା । ଏହା ପରେ ତାଙ୍କ ସହିତ ଦୁଷ୍କର୍ମ କରିଥିଲା । ଦୁଷ୍କର୍ମ କରିବା ପରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ପରିବାର ଅଭିଯୋଗ କରିଛି । ଏକ ଟାଙ୍ଗିଆରେ ହାଣି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିଲା । ମହିଳା ଜଣକ ଘରକୁ ଆସିବାରେ ବିଳମ୍ବ ହେବାରୁ ସ୍ୱାମୀ ଖୋଜା ଖୋଜି କରିଥିଲା । ତେବେ ମହିଳାଙ୍କୁ ସ୍ୱାମୀ ଏକ ବୁଦା ମୂଳେ ପାଇଥିଲେ । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ସ୍ୱାମୀ ଏକ ଟ୍ରଲି ସାହାଯ୍ୟରେ ସ୍ତ୍ରୀକୁ ମେଡ଼ିକାରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ମହିଳାଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଏ ନେଇ ମହିଳାଙ୍କ ସ୍ୱାମୀ ଭାପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।