ଗଞ୍ଜାମ,୧୯/୯: ଗଞ୍ଜାମ ଜିଲ୍ଲା ବାକୁଟୁ ଗାଁରେ ଏକ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ଜଣେ ଦିନ ମଜୁରିଆ ଥିବାରୁ ତାଙ୍କ ପରିବାରକୁ କ୍ଷତିପୂରଣ ଦାବୀ କରି ଗ୍ରାମବାସୀ ଅଡ଼ି ବସିଛନ୍ତି ।
ସୂଚନାନୁସାରେ, ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ ବାକୁଟୁ ଗାଁରେ ବିଦ୍ୟୁତ ଆଘାତରେ ମା ଓ ପୁଅଙ୍କ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ନାରାୟଣ ନାହକ ଓ ତାଙ୍କ ମା ସଜନ । ଆଜି ସକାଳେ ନାରାୟଣ କାମ କରିବାକୁ ଯାଇଥିଲେ । ସେ ଅପରାହ୍ନରେ କାମରୁ ଫେରୁଥିବା ବେଳେ ଖୁଣ୍ଟିରୁ ଆସିଥିବା ଏକ ସର୍ଭିସ ତାରଟିକୁ ଝୁଲିଥିବା ଦେଖି ଧରି ପକାଇଥିଲେ । ଫଳରେ ବିଦ୍ୟୁତ ଆଘାତ ପାଇ ନାରାୟଣ ଚିତ୍କାର କରିଥିଲେ ।
ମୃତ୍ୟୁ କବଳରେ ପଡ଼ି ଚିତ୍କାର କରୁଥିଲା ନାରାୟଣ । ମା ମନ ପରା କେମିତି ଥୟ ଧରିଥାନ୍ତା । ପୁଅର ଚିତ୍କାର ଶୁଣି ମା ସଜନ ନିଜ ଜୀବନକୁ ବାଜି ଲଗାଇ ତାଙ୍କୁ ବଞ୍ଚାଇବାକୁ ସେଠାକୁ ଯାଇଥିଲେ । ଫଳରେ ସେ ମଧ୍ୟ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ନାରାୟଣ ଜଣେ ଦିନ ମଜୁରିଆ ଥିଲେ । ତେଣୁ ତାଙ୍କ ମୃତ୍ୟୁ ପରେ ପରିବାର ଘୋଷଣ ପାଇଁ କ୍ଷତିପୂରଣ ଦାବୀ କରିଛନ୍ତି ।