ଭୁବନେଶ୍ୱର, ୧୭/୦୫ : ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଝିଟିକିଗୁଡ଼ା ନିକଟ ଜାତୀୟ ରାଜପଥରେ ଆଜି ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରେଲର ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ଦୁଇ ମହିଳାଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଶିଶୁ ଥିବା ସୂଚନା ମିଳିଛି। ମୃତକ ଓ ଆହତମାନେ ଆନ୍ଧ୍ରପ୍ରଦେଶର ଏକ ପରିବାରର ବୋଲି ଜଣାପଡ଼ିଛି। ପରିବାର ସଦସ୍ୟମାନେ ପୁରୀରୁ ଦର୍ଶନ ସରି ନବରଙ୍ଗପୁରସ୍ଥିତ ଶ୍ୱଶୁର ଘରକୁ କାରରେ ଫେରୁଥିଲେ। ସେହି ସମୟରେ କଳାହାଣ୍ଡି ଦିଗକୁ ଯାଉଥିବା ଏକ ଟ୍ରେଲର ସହ କାରଟିର ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କାରଟି ସମ୍ପୂର୍ଣ୍ଣ ଭାବେ ଚୁରମାର୍ ହୋଇଯାଇଥିଲା। ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି କାରରେ ଫସିଥିବା ସମସ୍ତଙ୍କୁ ଉଦ୍ଧାର କରିଥିଲେ। ସମସ୍ତ ଆହତଙ୍କୁ ପ୍ରଥମେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁଇ ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୋଲିସ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ଖୋଜୁଛି।