ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଜେଇ : ଘରୁ ମିଳିଲା ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର, ୧୭/୦୫ : ବୋଲଗଡର ଜୁନିୟର ଇଞ୍ଜିନିୟର ନୃସିଂହନାଥ ପ୍ରଧାନଙ୍କୁ ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ଟିମ୍‌ ଧରିଛି। ସେ ୧୯ ହଜାର ୨ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି। ଖଙ୍ଗୁରିଆ ଅଞ୍ଚଳର ଗବାଡ଼ି ଗାଁର ଏମ୍‌ପି ଫଣ୍ଡ କାମ ପାଇଁ ଜେଇ ଏହି ଲାଞ୍ଚ ଟଙ୍କା ଦାବି କରିଥିଲେ। ଏନେଇ ନୟାଗଡ଼ ଭିଜିଲାନ୍ସ ଟିମ୍‌ ପୂର୍ବରୁ ସୂଚନା ପାଇଥିଲା। ପରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ତାଙ୍କୁ କାବୁ କରାଯାଇଥିଲା। ଗିରଫ ପରେ ଭିଜିଲାନ୍ସ ଟିମ୍‌ ଜେଇଙ୍କ ଘରେ ମଧ୍ୟ ଚଢ଼ାଉ କରିଥିଲା। ସେଠାରୁ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଏହାପୂର୍ବରୁ ଗତକାଲି ମଧ୍ୟ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ତହସିଲଦାର ବିଚିତ୍ରାନନ୍ଦ ନାୟକ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ସେ ଜଣେ ହିତାଧିକାରୀଙ୍କଠାରୁ ଲାଞ୍ଚ ନେଇ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିବାକୁ ଯିବାବେଳେ ସେ ଟିମ୍‌ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କଷ୍ଟେମଷ୍ଟେ ତିନିଜଣ ଅଧିକାରୀ ସେଠାରୁ ରକ୍ଷା ପାଇଥିଲେ। ତାଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଲଗାତାର ଭାବେ ସରକାରୀ ଅଧିକାରୀମାନେ ଭିଜିଲାନ୍ସ ଜାଲରେ ପଡ଼ୁଥିବାରୁ ଦୁର୍ନୀତିକୁ ନେଇ ପୁଣି ପ୍ରଶ୍ନ ଉଠିଛି।