ରାଜ୍ୟରେ ଅସହ୍ୟ କଲାଣି ତାତି : ସକାଳ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ

ଭୁବନେଶ୍ୱର, ୧୯/୦୫ : ରାଜ୍ୟରେ ଦିନକୁ ଦିନ ବଢୁଛି ଖରାର ପ୍ରଭାବ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତିର ତୀବ୍ରତା ଅଧିକ ଅନୁଭବ ହେଉଛି। ସକାଳ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ତାତି ଓ ଗୁଳୁଗୁଳିରେ ଜନଜୀବନ ପ୍ରଭାବିତ। ଆଜି ୨ରୁ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବଢିପାରେ ପାରଦ। ୨୦ ରୁ ୨୨ ତାରିଖ ବେଳକୁ ବଲାଙ୍ଗିର, ଟିଟିଲାଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ତାପମାତ୍ରା ୪୬ ଡିଗ୍ରୀ ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତାତିରେ ଅଂଶୁଘାତ ଆଶଙ୍କା ବଢିଛି। ଅଂଶୁଘାତର ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ବିଶେଷ ପ୍ରସ୍ତୁତି କରାଯାଇଛି। ହସ୍ପିଟାଲ ପକ୍ଷରୁ ଖୋଲାଯାଇଛି ORS କାଉଣ୍ଟର। ଲୋକମାନଙ୍କୁ ଥଣ୍ଡା ପାଣି ବଣ୍ଟନ କରାଯାଉଛି। ଅଂଶୁଘାତ ରୋଗୀଙ୍କ ପାଇଁ ୧୦ଟି ବେଡ଼ ବିଶିଷ୍ଟ AC ହିଟ୍ ଷ୍ଟ୍ରୋକ୍ ୱାର୍ଡ ରହିଛି। ଅନ୍ୟପଟେ ଦିନ ମଜୁରୀଆଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ପ୍ରଶାସନ ପକ୍ଷରୁ ଦିନ ୧ ରୁ ୫ ପର୍ଯ୍ୟନ୍ତ କାମ ନ କରିବା ନିର୍ଦେଶ ଦିଆଯାଇଛି। ଏହାସହିତ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ରର ବ୍ୟବସ୍ଥା କରାଯାଇଛି। ଏପରିକି ଘରୁବାହାରିବା ବେଳେ ପ୍ରଚୁର ପାଣି ପିଇବା ଓ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।