ଭୁବନେଶ୍ୱର, ୦୬/୦୬ : ହଠାତ୍ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। ଦିନ ଦ୍ୱିପ୍ରହରେ ଯେମିତି ରାତି ଆସିଲା ରାଜଧାନୀ ଉପରେ। କିଛି ମିନିଟ୍ ମଧ୍ୟରେ ବଦଳିଗଲା ପାଗର ଚିତ୍ର। ଘଡ଼ଘଡ଼ି, ବିଜୁଳି, ଝଡ଼ ପବନ ଓ ପ୍ରବଳ ବର୍ଷାରେ ଥରି ଉଠିଲା ଭୁବନେଶ୍ୱର। ଦୀର୍ଘଦିନ ଧରି କଲବଲ କରୁଥିବା ଅସହ୍ୟ ଗରମ ଓ ଗୁଳୁଗୁଳିରୁ ଲୋକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି। ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିଲା। ପ୍ରାୟ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ବଜ୍ରପାତ ଓ ଘଡ଼ଘଡ଼ି ଦେଖିବାକୁ ମିଳିଥିଲା। ହଠାତ୍ ବର୍ଷା ଯୋଗୁଁ ଅନେକ ସ୍ଥାନରେ ଯାତାୟାତ ବ୍ୟାହତ ହୋଇଥିବା ବେଳେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜିଥିଲା।
ଜୟଦେବ ବିହାର ଅଞ୍ଚଳରେ ଏକ ବଡ଼ ଗଛ ଉପୁଡ଼ି ପଡ଼ିବାରୁ ୪ରୁ ଅଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଭୁବନେଶ୍ୱର ସମେତ ଜିଲ୍ଲାର ଅନେକ ସ୍ଥାନରେ କୁଆପଥର ବର୍ଷା ହୋଇଥିବା ଜଣାପଡ଼ିଛି। ସକାଳେ ରାଜଧାନୀର ଚିତ୍ର ଥିଲା ସମ୍ପୂର୍ଣ୍ଣ ଭିନ୍ନ। ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୩ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ୭୭ ପ୍ରତିଶତ ରହିଥିଲା। ଗରମର ଅନୁଭୂତି ପ୍ରାୟ ୪୭ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚିଥିଲା। ଉପକୂଳ ଅଞ୍ଚଳର ଲୋକେ ଗୁଳୁଗୁଳିରେ ଅତିଷ୍ଠ ହୋଇପଡ଼ିଥିଲେ। କିନ୍ତୁ ଅପରାହ୍ନର କାଳବୈଶାଖୀ ସେହି ତାତିରୁ ସାମୟିକ ମୁକ୍ତି ଦେଇଛି।
ତେବେ ଆକାଶରେ ଏବେ ବି କଳା ବାଦଲ ଛାଇ ରହିଥିବାରୁ ପୁଣି ବର୍ଷାର ସମ୍ଭାବନା ରହିଛି। ସେପଟେ କାଳବୈଶାଖୀକୁ ନେଇ ୧୧ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ତେଣୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।