ଭୁବନେଶ୍ୱର, ୦୬/୦୬ : ନିଳାଦ୍ରୀ ବିହାର ଏଟିଏମ୍ ଏକ ସ୍ଥିତ ଶ୍ରୀ ଶନି ମନ୍ଦିର ପରିସରରେ ଓଡ଼ିଶା ବିକାଶ ମହାମଞ୍ଚ ଓ ମମତା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପରିବେଶ ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ମମତା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡାକ୍ତର ମମତା ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘର ସଭାପତି ଶ୍ରୀ ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟା ଜେନା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରତ୍ୟେକ ବର୍ଷ ବୃଦ୍ଧି ପାଉଥିବା ତାପମାତ୍ରା କେବଳ ମନୁଷ୍ୟ କୃତ ଓ ଏହାର ନିରାକରଣ ନିମିତ୍ତ ବହୁ ପରିମାଣରେ ବୃକ୍ଷ ରୋପଣ କରିବାର ସଂକଳ୍ପ ବଦ୍ଧ ହେବାର ଆବଶ୍ୟକତା ରହିଅଛି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ପୃଥିବୀର ଲୋକସଂଖ୍ୟା ଅନୁପାତରେ ସମପରିମାଣରେ ବୃକ୍ଷ ଜଗତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦୁଇ ଅନୁଷ୍ଠାନର ମିଳିତ ଉଦ୍ୟମରେ ଆଗାମୀ ଦିନମାନଙ୍କରେ ଏକଲକ୍ଷ ବୃକ୍ଷ ରୋପଣ କରିବାକୁ ଓଡ଼ିଶା ବିକାଶ ମହାମଞ୍ଚର ସଭାପତି ଶ୍ରୀ ପ୍ରଣବ ଛୋଟରାୟ ଓ ମମତା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ଡାକ୍ତର ମମତା ମହାନ୍ତି ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ।ନିଜ ନିଜର ବ୍ୟକ୍ତିଗତ ଉଦ୍ୟମରେ ଖାଲିଥିବା ସ୍ଥାନରେ ବୃକ୍ଷରୋପଣ କରି ଏହି ପୃଥିବୀପୃଷ୍ଠକୁ ହରାଭରା ଓ ସବୁଜ ଶ୍ୟାମଳ କରିବାପାଇଁ ପରାମର୍ଶ ପ୍ରଦାନ କରିଥିଲେ ଶିକ୍ଷାବିତ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଶ୍ରୀ ସୁବ୍ରତ କୁମାର ତାଡ଼ , ଓବିଏମର ଉପସଭାପତି ଶ୍ରୀ ପ୍ରକାଶ ମହାପାତ୍ର, ସଂପାଦକ ଶ୍ରୀ ଶୀତେନ୍ଦ୍ର ବଳିୟାର ସିଂହ, ଯୁଗ୍ମ ସଂପାଦକ ଶ୍ରୀ ରାଜୀବ ସ୍ୱାଇଁ, କୋର କମିଟି ସଦସ୍ୟ କ୍ୟାପଟେନ୍ ଶ୍ରୀ ନାରଦ ଚନ୍ଦ୍ର ସାହୁ, ଅରବିନ୍ଦ ପାଠଚକ୍ରର ପ୍ରତିଷ୍ଠାତା ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ବୃକ୍ଷ ପ୍ରେମୀ ଶ୍ରୀ ରଵିନ୍ଦ୍ର ପରିଡ଼ା, ଅଧିବକ୍ତା ଶ୍ରୀ ଅଶୋକ କୁମାର ପାତ୍ର ପ୍ରମୁଖ । ଶ୍ରେଷ୍ଠ ସାମାଜିକ କର୍ମୀ ଭାବରେ ଶ୍ରୀ ପ୍ରକାଶ ମହାପାତ୍ରଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଉପାସୀ,ଚନ୍ଦ୍ରିକା ପ୍ରମୁଖ ।