ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ TPCODL କର୍ମଚାରୀ

ଭୁବନେଶ୍ୱର, ୦୬/୦୬ : ଚାଷୀଙ୍କ ସୁରକ୍ଷା ସହ ଜଡ଼ିତ ଏକ ଜରୁରୀ କାମ ପାଇଁ ଲାଞ୍ଚ ଦାବି କରି ଶେଷରେ ଭିଜିଲାନ୍ସ ଜାଲରେ ଫସିଛନ୍ତି TPCODLର ଜଣେ କର୍ମଚାରୀ। କଟକ ଜିଲ୍ଲା ନରସିଂହପୁର ବୈଦ୍ୟୁତିକ ସେକ୍ସନର ଲାଇନମ୍ୟାନ-ଏ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଓଡ଼ିଶା ଭିଜିଲାନ୍ସ ଶନିବାର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡହ୍ୟାଣ୍ଡ ଗିରଫ କରିଛି। ଜଣେ ଚାଷୀଙ୍କ ଜମି ଉପରେ ୧୧ କେଭି ବିଦ୍ୟୁତ୍ ତାର ଯାଇଥିବା ବେଳେ ଜମି ମଧ୍ୟରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟ କ୍ଷତିଗ୍ରସ୍ତ ଅବସ୍ଥାରେ ଥିଲା। ଖୁଣ୍ଟଟି ଭାଙ୍ଗିପଡ଼ିବାର ଆଶଙ୍କା ଥିବାରୁ ଯେକୌଣସି ସମୟରେ ବଡ଼ ଅଘଟଣ ଘଟିପାରୁଥିଲା। ଏନେଇ ଚାଷୀ ଜଣକ ସ୍ଥାନୀୟ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଅଭିଯୋଗ କରି ଖୁଣ୍ଟ ପରିବର୍ତ୍ତନ ପାଇଁ ଅନୁରୋଧ କରିଥିଲେ। ଏହି କାମର ଦାୟିତ୍ୱ ଲାଇନମ୍ୟାନ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ଦିଆଯାଇଥିଲା। ତେବେ ସରକାରୀ କାମ କରିବା ପାଇଁ ସେ ଚାଷୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଅନୁସାରେ, ଗତ ଜୁନ୍ ୨ ତାରିଖରେ ଖୁଣ୍ଟ ପରିବର୍ତ୍ତନ କରିବା ପରେ ସେ ୟୁପିଆଇ ମାଧ୍ୟମରେ ୮ ହଜାର ଟଙ୍କା ନେଇଥିଲେ। ପରେ ବାକି ୧୭ ହଜାର ଟଙ୍କା ପାଇଁ ଚାଷୀଙ୍କ ଉପରେ ଚାପ ପକାଇଥିଲେ।

ଚାଷୀ ଜଣକ ବାକି ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବା ପରେ ଦରଦାମ ହୋଇଥିଲା। ଶେଷରେ ଲାଞ୍ଚ ରାଶିକୁ ୧୭ ହଜାରରୁ କମାଇ ୧୫ ହଜାର ଟଙ୍କାରେ ରଫାଦଫା କରିଥିଲେ ଅଭିଯୁକ୍ତ। ଏପରିକି ପୁରୁଣା ଖୁଣ୍ଟକୁ ଜମିରୁ ଉଠାଇ ନେବା ପାଇଁ ମଧ୍ୟ ଟଙ୍କା ଦାବି କରୁଥିବା ଅଭିଯୋଗ ହୋଇଛି। ବାରମ୍ବାର ହଇରାଣ ହେବା ପରେ ଚାଷୀ ଜଣକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଫାନ୍ଦ ପତାଇଥିଲା। ଶନିବାର ଚାଷୀଙ୍କଠାରୁ ୧୫ ହଜାର ଟଙ୍କା ନେଉଥିବା ସମୟରେ ଧର୍ମ ନିରଞ୍ଜନ ଚୌଧୁରୀଙ୍କୁ ରଙ୍ଗେହାତ କାବୁ କରାଯାଇଥିଲା। ତାଙ୍କ ନିକଟରୁ ସମ୍ପୂର୍ଣ୍ଣ ଲାଞ୍ଚ ରାଶି ଜବତ କରାଯାଇଛି। ଗିରଫ ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସମ୍ପତ୍ତି ଏବଂ ଆୟଠାରୁ ଅଧିକ ସମ୍ପତ୍ତି ଥିବା ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏନେଇ କଟକ ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ-୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଏହି ଘଟଣା ପୁଣିଥରେ ସରକାରୀ ସେବାରେ ଦୁର୍ନୀତିର ଚିତ୍ରକୁ ପଦାରେ ପକାଇଛି।