ଭୁବନେଶ୍ବର, ୦୭/୦୬ : ଓଡ଼ିଶାରେ ୩ ହଜାର ୭୯୩ କୋଟି ୩୩ ଲକ୍ଷର ପୁଞ୍ଜିନିବେଶ ପ୍ରସ୍ତାବକୁ ସରକାରୀ ମଞ୍ଜୁରୀ । ୧୪ଟି ଜିଲ୍ଲାରେ ସ୍ଥାପନ ହେବ ୨୪ଟି ଶିଳ୍ପ ପ୍ରକଳ୍ପ । ସୃଷ୍ଟି ହେବ ପ୍ରାୟ ୨୦ ହଜାର ନିଯୁକ୍ତି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ୧୪ଟି ଜିଲ୍ଲାରେ ମୋଟ ୩ ହଜାର ୭୯୩ କୋଟି ୩୩ ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ୧୯ ହଜାର ୯୨୪ ଜଣଙ୍କ ପାଇଁ ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି (SLSWCA) ବୈଠକରେ ଏହି ପ୍ରସ୍ତାବଗୁଡ଼ିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ଅକ୍ଷୟ ଶକ୍ତି, ଉନ୍ନତ ଉତ୍ପାଦନ, ବସ୍ତ୍ର ଶିଳ୍ପ, ପର୍ଯ୍ୟଟନ ଓ ଆତିଥେୟତା, ଇସ୍ପାତ ଓ ଧାତୁ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରାହକ ସାମଗ୍ରୀ, ଲଜିଷ୍ଟିକ୍ସ ଏବଂ ନୂତନ ପ୍ରଦ୍ୟୋଗିକ ବିଦ୍ୟା ଆଦି କ୍ଷେତ୍ର ସହ ଜଡ଼ିତ । ପ୍ରମୁଖ ପ୍ରକଳ୍ପ ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୧୬୮ କୋଟି ୬୪ ଲକ୍ଷ ନିବେଶରେ ଏକ ପୋଷାକ ତିଆରି କାରଖାନା ପ୍ରତିଷ୍ଠା ହେବ। ଯାହା ସର୍ବାଧିକ ୧୦,୩୦୬ ଜଣଙ୍କୁ ନିଯୁକ୍ତି ଦେବ। ସିଇଏସସି ଗ୍ରୀନ ପାୱାର ଲିମିଟେଡ୍ ଢେଙ୍କାନାଳରେ ୬୮୩ କୋଟି ୮୩ ଲକ୍ଷ ବ୍ୟୟରେ ଏକ ବ୍ୟାଟେରୀ ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ (BESS) ସ୍ଥାପନ କରାଯିବ। ଏଭିପି ଷ୍ଟାର ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧାରେ ୫୦୦ କୋଟି ନିବେଶରେ ଲାବୋରେଟୋରୀ ନିର୍ମିତ ହୀରା ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା ହେବ। ଏଠାରେ ୫୦୦ ଜଣଙ୍କୁ ନିଯୁକ୍ତି ମିଳିବ।
ସେହିଭଳି ହିନ୍ଦୁସ୍ତାନ କୋକାକୋଲା ବେଭରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ ଖୋର୍ଦ୍ଧା ସ୍ଥିତ ଏହାର କୋଲ୍ଡ ଡ୍ରିଙ୍କସ୍ ପ୍ଲାଣ୍ଟର ସମ୍ପ୍ରସାରଣ ପାଇଁ ୩୦୦ କୋଟି ନିବେଶ କରାଯିବ। ଏଠାରେ ୯୯୦ ଜଣଙ୍କୁ ନିଯୁକ୍ତି ମିଳିବ। ଜେଏସଡବ୍ଲ୍ୟୁ ସେଭରଫିଲ୍ଡସ ଷ୍ଟ୍ରକଚର୍ସ ଲିମିଟେଡ୍ ଯାଜପୁରରେ ୨୧୫ କୋଟି ବ୍ୟୟରେ ଇସ୍ପାତ ଫ୍ୟାବ୍ରିକେସନ ୟୁନିଟ୍ ପ୍ରତିଷ୍ଠା କରିବ। ୧,୪୦୦ ଜଣଙ୍କୁ ନିଯୁକ୍ତି ମିଳିବ। କୋଶଳ ସେରାମିକ୍ସ ପ୍ରାଇଭେଟ୍ ଲିମିଟେଡ୍ ଝାରସୁଗୁଡ଼ା ସ୍ଥିତ ଶିଳ୍ପ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ୨୭୫.୦୭ କୋଟି ନିବେଶ କରିବ। ୧,୦୦୦ ଜଣଙ୍କୁ ନିଯୁକ୍ତି ମିଳିବ। ଏହି ବୈଠକରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ କେତେକ ପ୍ରିମିୟମ ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇଛି। ଏଥିମଧ୍ୟରେ ସ୍ୱସ୍ତି ପ୍ରିମିୟମ ଲିମିଟେଡ୍ ପକ୍ଷରୁ କୋରାପୁଟଠାରେ ୨୫୦ କୋଟି ବ୍ୟୟରେ ଏକ ପଞ୍ଚ ତାରକା ରିସୋର୍ଟ ନିର୍ମାଣ କରାଯିବ। ଯାହା ଦ୍ୱାରା ୪୮୦ ଜଣ ସିଧାସଳଖ ନିଯୁକ୍ତି ପାଇବେ। ଏହା ବ୍ୟତୀତ ଏସଏନଏମ ହୋଟେଲ ଆଣ୍ଡ ରିସୋର୍ଟସ, ଶ୍ରୀ ଇକୋ ରିସୋର୍ଟସ, ଶୈଳବାଳା ଇନଫ୍ରାଷ୍ଟ୍ରକଚର, ସୂର୍ଯ୍ୟ ଉଦ୍ୟୋଗ, ପ୍ରତ୍ୟକ୍ଷ ହୋଟେଲ, ଲହର ଏକ୍ସପୋର୍ଟସ ଏବଂ ପ୍ରାଚୀ ଏଣ୍ଟରପ୍ରାଇଜେସ ପକ୍ଷରୁ କୋରାପୁଟ, କେନ୍ଦୁଝର, ପୁରୀ, ଜଗତସିଂହପୁର, ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ପର୍ଯ୍ୟଟନ ପ୍ରକଳ୍ପମାନ ସ୍ଥାପନ କରାଯିବ। ଏହା ସହିତ ଖୋର୍ଦ୍ଧା, ସମ୍ବଲପୁର, ବଲାଙ୍ଗୀର ଓ କଟକ ଆଦି ଜିଲ୍ଲାରେ ଇଭି (EV) ପାର୍ଟସ, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରାହକ ସାମଗ୍ରୀ, ପ୍ରସ୍ତୁତ ପୋଷାକ ଏବଂ ଲଜିଷ୍ଟିକ୍ସ ଓ ୱେୟାରହାଉସିଂ କ୍ଷେତ୍ରରେ ଅନ୍ୟାନ୍ୟ ପ୍ରକଳ୍ପଗୁଡ଼ିକୁ ମଧ୍ୟ ସ୍ୱୀକୃତି ପ୍ରଦାନ କରାଯାଇଛି।