ରାମମନ୍ଦିର ପରେ ବଦ୍ରିନାଥ ଧାମରେ ଦାନ ଅର୍ଥ ଚୋରି ଅଭିଯୋଗ, BKTC ପକ୍ଷରୁ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଅଯୋଧ୍ୟା ରାମମନ୍ଦିର ପରେ ବଦ୍ରିନାଥ ଧାମ ଦାନ ଅର୍ଥ ଆତ୍ମସାତ୍‌ ଅଭିଯୋଗ ପରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ପକ୍ଷରୁ ଏକ ତଦନ୍ତ କମିଟି ଗଠନ କରାଯାଇଛି। କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ସହ ଜଡିତ ଏହି ସମ୍ବେଦନଶୀଳ ମାମଲାରେ ଯଦି କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିକେଟିସି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ପ୍ରତି ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ତୋସରପାତ ଅଭିଯୋଗ ଆସିବା ପରେ ଟ୍ରଷ୍ଟର କେତେକ କର୍ମଚାରୀଙ୍କୁ ଗିରଫ କରାଯିବା ସହ ଅନେକେ ଇସ୍ତଫା ଦେଇଥିଲେ। ଏହି ଘଟଣା ପରେ ସମଗ୍ର ଦେଶରେ ପ୍ରମୁଖ ମନ୍ଦିରଗୁଡ଼ିକର ପାଣ୍ଠି ପରିଚାଳନାରେ ସ୍ୱଚ୍ଛତା ଆଣିବା ନେଇ ଦାବି ଜୋର ଧରିଛି। ତେଣୁ ବଦ୍ରିନାଥ ଧାମରେ ଆସିଥିବା ଏହି ଅଭିଯୋଗକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଉଛି। ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ କୌଣସି ଅସତ୍ୟ ଗୁଜବକୁ ବିଶ୍ୱାସ ନକରିବାକୁ ଶ୍ରଦ୍ଧାଳୁ ତଥା ସାଧାରଣ ଜନତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।