ନୂଆଦିଲ୍ଲୀ, ୨୯/୧୧ : ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ରାଜନୀତି ପରିଦୃଶ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ରାଜନୀତିରେ ପାଦ ଥାପି ପାରନ୍ତି ଭାରତୀୟ କ୍ରିକେଟର ମହମ୍ମଦ ଶାମି। ଆଉ କୌଣସି ଦଳ ନୁହେଁ ପଦ୍ମ ଧରି ପାରନ୍ତି ଏହି ଷ୍ଟାର ବୋଲର। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତୀନ ନବୀନଙ୍କ ସହ ଗତ ରାତିରେ ସାକ୍ଷାତ ପରେ ଶାମିଙ୍କ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଏପରିକି ଶାମିଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚାରେ ବଡ଼ ଦାୟିତ୍ଵ ମିଳିପାରେ। ସୂଚନା ମୁତାବକ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ଅଧ୍ୟକ୍ଷ କୁଅଁର ବାସିତ ଅଲ୍ଲୀ ମହମ୍ମଦ ଶାମିଙ୍କୁ ନୀତିନ ନବୀନଙ୍କ ସହ ଗତକାଲି ରାତିରେ ଦିଲ୍ଲୀରେ ସାକ୍ଷାତ କରାଇଛନ୍ତି। ଖବର ଏହା ମଧ୍ୟ ଯେ, ମହମ୍ମଦ ଶାମ ବିଜେପି ଟିକେଟରେ ଅମରୋହାରୁ ବିଧାନସଭା ନିର୍ବାଚନ ଲଢି ପାରନ୍ତି। ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ହେବାକୁ ଯାଉଛି। ଯଦି ଶାମି ବିଜେପିରେ ସାମିଲ ହୁଅନ୍ତି ନିଶ୍ଚିତ ଭାବେ ଏହାର ଫାଇଦା ବିଜେପିକୁ ମିଳିବ। ସଂଖ୍ୟାଲଘୁ ଭୋଟର ମଧ୍ୟ ବିଜେପି ଆଡ଼କୁ ଢଳି ପାରନ୍ତି ଭାରତୀୟ କ୍ରିକେଟ୍ ଦଳର ଷ୍ଟାର ବୋଲର ମହମ୍ମଦ ଶାମି ସଂପ୍ରତି ଭାରତୀୟ ଦଳରୁ ବାହାରେ ଅଛନ୍ତି। ସେ ଲଗାତାର ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରୁଥିଲେ ମଧ୍ୟ ତାଙ୍କ ନାଁକୁ ବିଚାରକୁ ନେଉ ନାହାନ୍ତି ଚୟନକର୍ତ୍ତା ଏବଂ ଦଳ ପ୍ରବନ୍ଧକ। ଫଳରେ ନଭେମ୍ବର ୬ରେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି ଶାମି। କିନ୍ତୁ ଦିନିକିଆ ଓ ଟି-୨୦ ଅନ୍ତର୍ଜାତୀୟରୁ ଅବସର ଘୋଷଣା କରି ନାହାନ୍ତି। ସେ ଦିନିକିଆ ବିଶ୍ଵକପରେ ସ୍ଥାନ ପାଇବା ପାଇଁ ପ୍ରୟାସ ଚଲାଇଛନ୍ତି।