ଆଜିଠାରୁ ୫ ଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା : ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୪/୦୭ : ଓଡ଼ିଶାରେ ପୁଣି ସକ୍ରିୟ ହେବାକୁ ଯାଉଛି ବର୍ଷା। ୭ ଦିନ ଧରି ରାଜ୍ୟରେ ବ୍ୟାପକ ବର୍ଷା ସହ ବଜ୍ରପାତ, ଘଡ଼ଘଡ଼ି ଏବଂ ଦମକା ପବନର ସମ୍ଭାବନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ ସୂଚନା ଜାରି କରିଛି। ବିଶେଷକରି ଜୁଲାଇ ୧୪ରୁ ୧୬ ମଧ୍ୟରେ ବର୍ଷାର ପ୍ରକୋପ ଅଧିକ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଏଥିପାଇଁ କନ୍ଧମାଳ, କେନ୍ଦ୍ରାପଡ଼ା ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ଜୁଲାଇ ୧୫ରେ କେନ୍ଦ୍ରାପଡ଼ା ଓ ଗଜପତିରେ ମଧ୍ୟ ଅତି ପ୍ରବଳ ବର୍ଷା ହୋଇପାରେ। ଏହାସହ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଜଗତସିଂହପୁର, ସୁନ୍ଦରଗଡ଼, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର ଓ ନୟାଗଡ଼ ସମେତ ବହୁ ଜିଲ୍ଲାରେ ଭାରୀ ବର୍ଷା ସହ ବଜ୍ରପାତ ଓ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି।

ଆଇଏମଡି ସତର୍କ କରିଛି ଯେ, ଲଗାଣ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ, ରାସ୍ତାରେ ପାଣି ଜମିବା, ଯାତାୟାତ ବାଧାପ୍ରାପ୍ତ ହେବା, ଭୂସ୍ଖଳନ ପ୍ରବଣ ଅଞ୍ଚଳରେ ବିପଦ, କୃଷି ଫସଲ ଓ ଉଦ୍ୟାନ ଚାଷର କ୍ଷତି ଏବଂ କିଛି ନଦୀ ଅବବାହିକାରେ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ଅନାବଶ୍ୟକ ଭାବେ ଜଳମଗ୍ନ ରାସ୍ତାରେ ଯାତାୟାତ ନକରିବା ସହ ପ୍ରଶାସନର ପରାମର୍ଶ ମାନିବାକୁ କୁହାଯାଇଛି। ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ରହିବା ନେଇ ମଧ୍ୟ ବଡ଼ ସତର୍କବାଣୀ ଜାରି କରାଯାଇଛି। ଜୁଲାଇ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିବ, ଯାହାର ଝଟକା ୫୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ଏହି କାରଣରୁ ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ ୧୭ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ କଡ଼ା ପରାମର୍ଶ ଦିଆଯାଇଛି। ଯେଉଁମାନେ ବର୍ତ୍ତମାନ ସମୁଦ୍ରରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି।