ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର; ‘ତୀର୍ଥଯାତ୍ରା ପାଇଁ ଜୁଲାଇ ୧୫ରୁ ଆବେଦନ

ଭୁବନେଶ୍ୱର, ୧୪/୦୭ : ଓଡ଼ିଶାର ବରିଷ୍ଠ ନାଗରିକଙ୍କ ପାଇଁ ରାଜ୍ୟ ସରକାର ପୁଣି ଆଣିଛନ୍ତି ଏକ ବଡ଼ ସୁଯୋଗ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୬-୨୭ ପାଇଁ ଆଜି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆନୁଷ୍ଠାନିକ ଭାବେ ଗାଇଡ୍‌ଲାଇନ୍‌ ଉନ୍ମୋଚନ କରିଛନ୍ତି। ପର୍ଯ୍ୟଟନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଯୋଜନାର ବିଭିନ୍ନ ନିୟମ ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦିଆଯାଇଛି। ବୟସ ଓ ଆର୍ଥିକ ସମସ୍ୟା ଯେପରି ବରିଷ୍ଠ ନାଗରିକଙ୍କ ଧାର୍ମିକ ଇଚ୍ଛା ପୂରଣରେ ବାଧା ନହେଉ, ସେଥିପାଇଁ ରାଜ୍ୟ ସରକାର ଏହି ଯୋଜନାକୁ ଗୁରୁତ୍ୱ ଦେଇ ଚାଲିଛନ୍ତି। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ଦେଶର ବିଭିନ୍ନ ପ୍ରସିଦ୍ଧ ତୀର୍ଥସ୍ଥାନକୁ ସୁରକ୍ଷିତ ଓ ସମ୍ମାନଜନକ ଭାବରେ ଯାତ୍ରା କରିପାରିବେ।

ଏହି ଯୋଜନା ଆରମ୍ଭ ହେବା ପରଠାରୁ ୪୫,୫୫୫ରୁ ଅଧିକ ବରିଷ୍ଠ ନାଗରିକ ଏହାର ସୁବିଧା ପାଇ ବିଭିନ୍ନ ପବିତ୍ର ତୀର୍ଥସ୍ଥାନ ପରିଦର୍ଶନ କରିସାରିଛନ୍ତି। ୨୦୨୬-୨୭ ଯୋଜନା ପାଇଁ ଆବେଦନ ଆସନ୍ତା ଜୁଲାଇ ୧୫ରୁ ଆରମ୍ଭ ହୋଇ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବରିଷ୍ଠ ନାଗରିକମାନେ yatra.odisha.gov.in ୱେବସାଇଟ୍‌ରେ ଅନଲାଇନ୍‌ ଆବେଦନ କରିପାରିବେ। ଏହାଛଡ଼ା ଅଫଲାଇନ୍‌ ମାଧ୍ୟମରେ ମଧ୍ୟ ଆବେଦନ କରିବାର ସୁବିଧା ରହିଛି। ନୂଆ ଗାଇଡ୍‌ଲାଇନ୍‌ରେ ଯୋଗ୍ୟତା, ଆବେଦନ ପ୍ରକ୍ରିୟା, ଚୟନ ବ୍ୟବସ୍ଥା ଏବଂ ଯାତ୍ରା ପରିଚାଳନା ସମ୍ପର୍କିତ ସମସ୍ତ ନିୟମ ସ୍ପଷ୍ଟ କରାଯାଇଛି। ଏହାଦ୍ୱାରା ଯୋଜନାକୁ ଅଧିକ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ଭାବେ କାର୍ଯ୍ୟକାରୀ କରାଯିବ।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର କମିଶନର-କମ୍-ସଚିବ ବଲୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଆଇଆରସିଟିସି ଭୁବନେଶ୍ୱରର ଆଞ୍ଚଳିକ ଅଧିକାରୀ ଅନୁଜ ଦତ୍ତଙ୍କ ସମେତ ବିଭିନ୍ନ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ବରିଷ୍ଠ ନାଗରିକଙ୍କ ସ୍ୱପ୍ନର ତୀର୍ଥଯାତ୍ରାକୁ ସାକାର କରିବା ସହ ସେମାନଙ୍କୁ ସମ୍ମାନଜନକ ଓ ସୁବିଧାଜନକ ଧାର୍ମିକ ଯାତ୍ରାର ସୁଯୋଗ ଯୋଗାଇବ।