ନୂଆଦିଲ୍ଲୀ, ୧୪/୦୭ : ଉତ୍ତରପ୍ରଦେଶ ହାପୁରରେ ଦିଲ୍ଲୀ-ଲକ୍ଷ୍ନୌ ନ୍ୟାସନାଲ ହାଇୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାବୁଗଢ ଥାନା ଅନ୍ତର୍ଗତ ବଛଲୋତା ଫ୍ଲାଏଓଭର ନିକଟରେ ଏକ ବାଇକ୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଥିଲା । ଦୁର୍ଘଟଣାରେ ୩ ପିଲାଙ୍କ ସହିତ ପରିବାରର ୪ ଜଣଙ୍କ ଜୀବନ ଚାଲିଯାଇଛି । ମୃତକଙ୍କ ଭିତରେ ବାପା, ଦୁଇ ଝିଅ ଏବଂ ଗୋଟେ ପୁଅ ରହିଛି । ଗୁରୁତର ଥିବା ମା’ଙ୍କର ଚିକିତ୍ସା ଚାଲିଛି । ଶାହଜହାଁପୁର ଜିଲ୍ଲା ଖୁଦାଗଂଜ ଥାନା ଅଞ୍ଚଳ ହସନପୁର ନିବାସୀ ଅଶୋକ ୪୫ ନୋଏଡାରେ ରାଜମିସ୍ତ୍ରୀ କାମ କରୁଥିଲେ । ସୋମବାର ଦିନ ନିଜ ବାଇକରେ ପତ୍ନୀ, ପୁଅ ଏବଂ ଝିଅ ସହିତ ନୋଏଡା ଯାଉଥିଲେ । ବଛଲୋତା ଫ୍ଲାଏଓଭର ନିକଟରେ ପହଞ୍ଚିବା ପରେ ବାଇକ୍ ଅନିୟନ୍ତ୍ରିତ ହୋଇ ଡିଭାଇଡରରେ ପିଟି ହୋଇଥିଲା । ଧକ୍କା ହେବା ପରେ ୪ ବର୍ଷୀୟ କୁନି ଝିଅ ରାଧିକାର ଘଟଣାସ୍ଥଳରେ ଜୀବନ ଚାଲିଯାଇଥିଲା । ଅନ୍ୟ ସମସ୍ତେ ଗୁରୁତର ଆହତ ହୋଇଥିଲେ ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରିଛି । ଚିକିତ୍ସା ସମୟରେ ଅଶୋକ ଜୀବନ ହାରିଥିଲେ । ଏହାପରେ ମା, ପୁଅ ଏବଂ ଝିଅଙ୍କ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ତୁରନ୍ତ ମେଡିକାଲ କଲେଜ ମେରଟ ରେଫର କରାଯାଇଥିଲା । ଏଠାରେ ଦୁଇ ପିଲାଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ପରିବାରର ୪ ଜଣଙ୍କ ଜୀବନ ଚାଲିଯାଇଥିଲା । ପରିବାରର କେବଳ ମହିଳାଙ୍କୁ ଛାଡିଦେଲେ ସମସ୍ତେ ଚାଲିଗଲେ । ପୋଲିସ ମୃତକଙ୍କ ପରିବାର ଲୋକଙ୍କୁ ଦୁର୍ଘଟଣା ବିଷୟରେ ଖବର ଦେଇଥିଲା । ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।