ରଥଯାତ୍ରା ପାଇଁ ରେଳବାଇର ପ୍ରସ୍ତୁତି; ଚାଲିବ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର, ୧୪/୦୭ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬କୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଚରମରେ ପହଞ୍ଚିଥିବାବେଳେ, ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ପକ୍ଷରୁ କରାଯାଇଛି ବଡ଼ ବ୍ୟବସ୍ଥା। ଚଳିତ ବର୍ଷ ରଥଯାତ୍ରା ଅବସରରେ ୩୦୦ରୁ ଅଧିକ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବ୍ୟବସ୍ଥା ଫଳରେ ଓଡ଼ିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରୁ ପୁରୀ ଆସୁଥିବା ଲକ୍ଷ ଲକ୍ଷ ଭକ୍ତଙ୍କ ଯାତ୍ରା ହେବ ଅଧିକ ସୁଗମ ଓ ସୁବିଧାଜନକ।

ଇଷ୍ଟ କୋଷ୍ଟ ରେଳବାଇ ସୂଚନା ଅନୁସାରେ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଭକ୍ତଙ୍କୁ ବିଶେଷ ସୁବିଧା ଦେବା ପାଇଁ ଜଗଦଲପୁର–ପୁରୀ, ରାୟଗଡା–ପୁରୀ, ସମ୍ବଲପୁର–ପୁରୀ ଏବଂ ଶାଲିମାର–ପୁରୀ ରୁଟ୍‌ରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ। ଏହାଦ୍ୱାରା ଦୂରଦୂରାନ୍ତର ଭକ୍ତମାନେ ଅତିରିକ୍ତ ଭିଡ଼ର ସମସ୍ୟାରୁ ମୁକ୍ତି ପାଇବେ। ଜଗଦଲପୁର–ପୁରୀ ସ୍ପେଶାଲ ଟ୍ରେନ୍ (୦୮୫୫୩) ଜୁଲାଇ ୧୫ ଓ ୨୩ ତାରିଖ ସକାଳ ୬ଟାରେ ଜଗଦଲପୁରରୁ ଛାଡ଼ି ପରଦିନ ରାତି ୧ଟା ୪୦ ମିନିଟ୍‌ରେ ପୁରୀରେ ପହଞ୍ଚିବ। ଫେରନ୍ତା ୦୮୫୫୪ ଟ୍ରେନ୍ ଜୁଲାଇ ୧୬ ଓ ୨୪ ତାରିଖ ସନ୍ଧ୍ୟା ୭ଟା ୧୫ ମିନିଟ୍‌ରେ ପୁରୀରୁ ଛାଡ଼ି ପରଦିନ ଦିନ ୧ଟା ୧୫ ମିନିଟ୍‌ରେ ଜଗଦଲପୁରରେ ପହଞ୍ଚିବ। ଏହି ଟ୍ରେନ୍ କୋରାପୁଟ, ଜୟପୁର, କୋଟପାଡ଼, ରାୟଗଡା, ଗୁଣୁପୁର, ପାରଳାଖେମୁଣ୍ଡି, ପାଲାସା ଓ ଖୋର୍ଦ୍ଧା ରୋଡ୍‌ ଭଳି ପ୍ରମୁଖ ଷ୍ଟେସନରେ ରହଣି କରିବ।

ସେହିପରି ଶାଲିମାର–ପୁରୀ ସ୍ପେଶାଲ ଟ୍ରେନ୍ (୦୮୫୬୫/୦୮୫୬୬) ଜୁଲାଇ ୧୫ ଓ ୨୩ ତାରିଖ ସନ୍ଧ୍ୟା ୬ଟାରେ ଶାଲିମାରରୁ ଛାଡ଼ି ପରଦିନ ସକାଳ ୬ଟାରେ ପୁରୀ ପହଞ୍ଚିବ। ଫେରନ୍ତା ଟ୍ରେନ୍ ଜୁଲାଇ ୧୭ ଓ ୨୫ ତାରିଖ ରାତି ୧୨ଟା ୩୦ ମିନିଟ୍‌ରେ ପୁରୀରୁ ବାହାରି ପରଦିନ ଦିନ ୧ଟା ୩୦ ମିନିଟ୍‌ରେ ଶାଲିମାର ପହଞ୍ଚିବ। ଏହା ସନ୍ତରାଗାଛି, ମେଚେଦା, ଖଡ଼ଗପୁର, ବେଲଦା, ଦାନ୍ତନ, ଜଳେଶ୍ୱର, ବସ୍ତା, ରୂପସା, ବାଲେଶ୍ୱର ଓ ସୋର ଭଳି ଷ୍ଟେସନରେ ଅଟକିବ। ଏହା ବ୍ୟତୀତ ରାୟଗଡା–ପୁରୀ ଏବଂ ସମ୍ବଲପୁର–ପୁରୀ ରୁଟ୍‌ରେ ମଧ୍ୟ ନିର୍ଦ୍ଧାରିତ ଦିନରେ ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ରଥଯାତ୍ରା ସମୟରେ ପୁରୀରେ ଭକ୍ତଙ୍କ ଅଭୂତପୂର୍ବ ସମାଗମକୁ ଦୃଷ୍ଟିରେ ରଖି ରେଳବାଇ ଏହି ବ୍ୟାପକ ପଦକ୍ଷେପ ନେଇଛି। ଫଳରେ ଟିକେଟ୍ ଚାପ କମିବା ସହ ଯାତ୍ରୀମାନେ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ସମୟାନୁସାରେ ପୁରୀ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ଲାଭ କରିପାରିବେ।