ସମସ୍ତ ଜିଲ୍ଲାପାଳଙ୍କୁ ବର୍ଷା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬/୧୦: ବଙ୍ଗୋପସାଗରେ ଦୁଇ ଦିନର ଲଗାଣ ବର୍ଷା ପରେ ଶନିବାର ପାଗ ଶୁଖିଲା ହୋଇଛି । ଫଳରେ ଦୀପାବଳୀକୁ ନେଇ ଲୋକଙ୍କମନରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ ସେପଟେ ଚଷା ପୁଅ ମୁଣ୍ଡରେ ହାତ ଦେଇ ବସିଛି । ଧାନ ଜମିରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଛି । ଯାହାକୁ ନେଇ ଏବେ ଚାଷୀ ଚିନ୍ତାରେ ପଡ଼ିଯାଇଛି । ତେବେ ଲଗାଣ ବର୍ଷାରେ କ’ଣ କ୍ଷୟକ୍ଷତି ହୋଇଛି ତାହାର ରିପୋର୍ଟ ଦେବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି । ଅନୁଦାନକୁ ଅପେକ୍ଷା ନ କରି ଆଂଶିକ କ୍ଷତିଗ୍ରସ୍ତକୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛି ।

ଲଗାଣ ବର୍ଷାରେ ବିଭିନ୍ନ ଜିଲ୍ଲାରେ ଫସଲ ହାନି ହୋଇଛି । ଏହା ସହିତ ଘର ମଧ୍ୟ ଭାଙ୍ଗି ଯାଇଛି । ଘର ଭଙ୍ଗା ଓ ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ନଭେମ୍ବର 4 ସୁଦ୍ଧା କ୍ଷୟକ୍ଷତିର ସମୀକ୍ଷା ଶେଷ କରିବାକୁ ଚିଠିରେ କୁହାଯାଇଛି । ଯେଉଁମାନଙ୍କର ସାମନ୍ୟ କ୍ଷତି ହୋଇଛି ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ । ସରକାରଙ୍କ ଅନୁଦାନକୁ ଅପେକ୍ଷ ନ କରି ସହାୟତ ଦେବାକୁ କୁହାଯାଇଛି । ଏହା ସହିତ କ୍ଷୟକ୍ଷତିର ଆକଳନର ରିପୋର୍ଟ ମିଳିବା ପରେ କ୍ଷତିଗ୍ରସ୍ତକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯିବ ବୋଲି ଏସ୍‌ଆର୍‌ସି ଚିଠିରେ କହିଛନ୍ତି ।