୭ ଦିନ ମଧ୍ୟରେ ସବୁ ଘାଇର ହେବ ମରାମତି’ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୧/୦୮ : ବନ୍ୟା ପ୍ରଭାବିତ ଅଞ୍ଚଳର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବନ୍ୟା ସ୍ଥିତିକୁ ନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅନେକ ଗାଁ ଏବେ ମଧ୍ୟ ପାଣି ଘେରରେ ଥିଲେ ମଧ୍ୟ ପରିସ୍ଥିତି ଧୀରେ ଧୀରେ ସୁଧୁରୁଛି। ଆସନ୍ତା ଦୁଇ ଦିନ ମଧ୍ୟରେ ବନ୍ୟା ପାଣି ସମ୍ପୂର୍ଣ୍ଣ ଛାଡ଼ିଯିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବନ୍ୟା ପାଣି କମିବାର ତିନି ଦିନ ମଧ୍ୟରେ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆକଳନ ରିପୋର୍ଟ ଆସିବା ପରେ କୃଷି କ୍ଷତି, ଘର ଭାଙ୍ଗିବା ଓ ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ପ୍ୟାକେଜ ପ୍ରଦାନ କରାଯିବ।

ପ୍ରାୟ ୮ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୬୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୧୭ଟି ODRAF, ୭ଟି NDRF ଏବଂ ୧୨୯ଟି ଅଗ୍ନିଶମ ଓ ଜରୁରୀ ସେବା ଦଳ ନିୟୋଜିତ ରହିଛନ୍ତି। ପ୍ରଭାବିତ ଲୋକଙ୍କ ପାଇଁ ୭୦୦ଟି ରିଲିଫ୍ କ୍ୟାମ୍ପ ଓ ଆଶ୍ରୟସ୍ଥଳରେ ରହିବା, ରନ୍ଧା ଓ ଶୁଖିଲା ଖାଦ୍ୟ, ପିଇବା ପାଣି ଏବଂ ସ୍ୱାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି।

ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ SDRF ପାଣ୍ଠିରୁ ୨୬ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କ୍ଷତିଗ୍ରସ୍ତ ପରିବାରଙ୍କୁ ପଲିଥିନ, ଖାଦ୍ୟ, ପିଇବା ପାଣି ଓ ଔଷଧ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୭ ଦିନ ମଧ୍ୟରେ ସମସ୍ତ ଘାଇର ମରାମତି ଏବଂ କ୍ଷତିଗ୍ରସ୍ତ ରାସ୍ତାର ପୁନଃନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନ ଉପୁଜିବା ପାଇଁ ମଧ୍ୟ ସରକାର ସତର୍କ ରହିଥିବା ସେ କହିଛନ୍ତି। ବନ୍ୟା ସ୍ଥିତି ଉପରେ ସରକାରଙ୍କର ନିରନ୍ତର ନଜର ରହିଛି ଏବଂ ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି।

SBI AD