ଭୁବନେଶ୍ୱର, ୧୦/୦୮ : ଆଜିର ବ୍ୟସ୍ତବହୁଳ ଜୀବନରେ ସମୟର ମୂଲ୍ୟ ବହୁତ ଅଧିକ । ବିଶେଷ କରି ରୋଷେଇ ଘରେ ଗ୍ୟାସ୍ ସରିଗଲେ ଏବଂ ସିଲିଣ୍ଡର ପାଇଁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଲେ, ଗୃହିଣୀମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଗ୍ରାହକଙ୍କ ଏହି ସମସ୍ୟାର ସମାଧାନ କରିବା ପାଇଁ ଇଣ୍ଡିଆନ୍ ଅଏଲ୍ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି । କମ୍ପାନି ପକ୍ଷରୁ ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ନାମକ ଏକ ନୂତନ ସେବା ଆରମ୍ଭ କରାଯାଇଛି, ଯାହା ଗ୍ୟାସ୍ ଡେଲିଭରି କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି ।
ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ ହେଉଛି ଇଣ୍ଡିଆନ୍ ଅଏଲର ଏକ ସ୍ୱତନ୍ତ୍ର ସେବା, ଯେଉଁଥିରେ ଗ୍ରାହକଙ୍କୁ ୧୦ କିଲୋଗ୍ରାମ ଓଜନର ଏକ ‘କମ୍ପୋଜିଟ୍ ଗ୍ୟାସ୍ ସିଲିଣ୍ଡର’ ଯୋଗାଇ ଦିଆଯାଉଛି। ଏହି ସିଲିଣ୍ଡରଟି ପାରମ୍ପରିକ ଲୁହା କିମ୍ବା ଷ୍ଟିଲ୍ ସିଲିଣ୍ଡର ତୁଳନାରେ ଯଥେଷ୍ଟ ହାଲୁକା । ଏହାର ବଡି ‘ରଷ୍ଟ-ଫ୍ରି’ ବା କଳଙ୍କିମୁକ୍ତ ସାମଗ୍ରୀରେ ନିର୍ମିତ ହୋଇଥିବାରୁ ଏହା ଦୀର୍ଘସ୍ଥାୟୀ ଏବଂ ବ୍ୟବହାର ପାଇଁ ଅତ୍ୟନ୍ତ ସୁରକ୍ଷିତ । ଏହି ସିଲିଣ୍ଡରର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାର ‘ଟ୍ରାନ୍ସପରେଣ୍ଟ’ ବା ସ୍ୱଚ୍ଛ ଡିଜାଇନ୍ । ଏହା ଫଳରେ ଗ୍ରାହକମାନେ ସିଲିଣ୍ଡର ଭିତରେ କେତେ ପରିମାଣର ଗ୍ୟାସ୍ ବାକି ଅଛି, ତାହା ବାହାରୁ ସହଜରେ ଦେଖିପାରିବେ । ଏହାଦ୍ୱାରା ରୋଷେଇ ସମୟରେ ହଠାତ୍ ଗ୍ୟାସ୍ ସରିଯିବାର ଚିନ୍ତା ରହିବ ନାହିଁ। ବିଶେଷ କରି ଛୋଟ ପରିବାର ଏବଂ ବ୍ୟାଚେଲରମାନଙ୍କ ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ।
ଏହି ସେବାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଦ୍ରୁତ ଡେଲିଭରି ବ୍ୟବସ୍ଥା। କମ୍ପାନୀ ଦାବି କରିଛି ଯେ, ବୁକିଂ କରିବାର ମାତ୍ର ୩ ରୁ ୪ ଘଣ୍ଟା ମଧ୍ୟରେ ସିଲିଣ୍ଡର ଆପଣଙ୍କ ଘରେ ପହଞ୍ଚିଯିବ । ଯଦି ଆପଣ ସକାଳ ୭ଟାରେ ବୁକିଂ କରନ୍ତି, ତେବେ ୧୦ଟା ସୁଦ୍ଧା ଆପଣଙ୍କୁ ନୂଆ ସିଲିଣ୍ଡର ମିଳିଯିବ ।
କିପରି କରିବେ ବୁକିଂ ?
ମୋବାଇଲ୍ ଆପ୍ ଜରିଆରେ। କମ୍ପାନୀର ଅଫିସିଆଲ୍ ପୋର୍ଟାଲ୍ ମାଧ୍ୟମରେ । ଇଣ୍ଡିଆନ୍ ଅଏଲର ହ୍ୱାଟ୍ସଆପ୍ ନମ୍ବର ୭୫୮୮୮୮୮୮୨୪ ରେ ମେସେଜ୍ କରି।
ଇଣ୍ଡିଆନ୍ ଅଏଲ୍ ମୁତାବକ, ‘ଇଣ୍ଡେନ୍ ଏକ୍ସଟ୍ରାଲାଇଟ୍ ନାଓ’ ସେବା କମ୍ପାନୀର ଇଣ୍ଡେନ୍ ଡିଷ୍ଟ୍ରିବ୍ୟୁଟର ନେଟୱର୍କ ଏବଂ କିଛି ମନୋନୀତ ରିଟେଲ୍ ଆଉଟଲେଟ୍ ମାଧ୍ୟମରେ ଉପଲବ୍ଧ ହେବ । ଏହି ଆଧୁନିକ LPG ସେବା ମାଧ୍ୟମରେ ଗ୍ରାହକଙ୍କୁ ଏକ ଉନ୍ନତ ଏବଂ ସୁବିଧାଜନକ ଅଭିଜ୍ଞତା ପ୍ରଦାନ କରିବା କମ୍ପାନିର ମୁଖ୍ୟ ଲକ୍ଷ୍ୟ। ତେଣୁ ଯଦି ଆପଣ ମଧ୍ୟ ଗ୍ୟାସ୍ ଡେଲିଭରିରେ ବିଳମ୍ବ ଯୋଗୁଁ ଚିନ୍ତିତ, ତେବେ ଆଜି ହିଁ ଏହି ନୂତନ ସେବାର ଲାଭ ଉଠାନ୍ତୁ ।