ଭୁବନେଶ୍ୱର, ୧୧/୦୮ : ମହାତ୍ମା ଗାନ୍ଧୀ ମାର୍ଗରେ ରାଜ୍ୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିବେ । ସ୍ୱାଧୀନତା ଦିବସ ଉପଲକ୍ଷେ କଟକ-ଭୁବନେଶ୍ୱର କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ ନିର୍ଦ୍ଦେଶନାମା ଜାରି ହୋଇଛି । ତତସହିତ ପାର୍କିଂ ସ୍ଥାନ ରଖାଯାଇଥିବାବେଳେ ଗ୍ୟାସ୍ ବେଲୁନ୍ ବିକ୍ରୟ ଉପରେ କଟକଣା ଜାରି କରାଯାଇଛି । ସ୍ଵାଧୀନତା ଦିବସ ସମାରୋହ ଶେଷ ହେବା ପର୍ଯ୍ୟନ୍ତ ପି.ଏମ.ଜି. ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ମଧ୍ୟରେ କୌଣସି ବ୍ୟକ୍ତି ଗ୍ୟାସ ବେଲୁନ୍ ବିକ୍ରି କରିପାରିବେ ନାହିଁ ।
ଏଥିପାଇଁ ଆଜି ଓ ଆସନ୍ତାକାଲି ଅପରାହ୍ନ ୨.୩୦ ମିନିଟ୍ ଠାରୁ ୬ ଘଟିକା ପର୍ଯ୍ୟନ୍ତ ଅଭ୍ୟାସ ପରେଡ୍ କରାଯିବ । ସେହିପରି ଅଗଷ୍ଟ ୧୩ ତାରିଖ ସକାଳ ୮.୩୦ ମିନିଟ୍ ଠାରୁ ୧୧.୩୦ ମିନିଟ୍ ପର୍ଯ୍ୟନ୍ତ ପୂର୍ଣ୍ଣ ଅଭ୍ୟାସ ପରେଡ୍ ଅନୁଷ୍ଠିତ ହେବ । ସେହିପରି ଅଗଷ୍ଟ ୧୫ ଦିନ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ପରେଡ୍ ସକାଳ ୬ ଘଟିକାଠାରୁ ଆରମ୍ଭ ହେବ । ସର୍ବସାଧାରଣଙ୍କ ସୁଗମନାଗମନ ଓ ପାର୍କିଂ ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ଟ୍ରାଫିକ୍ ପୋଲିସ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦିଷ୍ଟ ମାର୍ଗ ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅଭ୍ୟାସ ପରେଡ୍ ଏବଂ ପୂର୍ଣ୍ଣ ପରେଡ୍ ସମୟରେ କୌଣସି ପ୍ରକାର ଭାରୀଯାନ ରାମମନ୍ଦିର ଏବଂ ରାଜମହଲ ଛକ ପଟୁ ମାଷ୍ଟରକ୍ୟାଣ୍ଟିନ୍ ଛକକୁ ଯିବାକୁ ଦିଆଯିବ ନାହିଁ । କେବଳ ଦୁଇ ଚକିଆ ତଥା ହାଲୁକା ଯାନ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ୍ ଆଡ଼କୁ ଆସିପାରିବେ କିନ୍ତୁ ପି.ଏମ.ଜି. ଛକ ଆଡ଼କୁ ଯିବାପାଇଁ ଅନୁମତି ଦିଆଯିବ ନାହିଁ ।ହାଉସିଂବୋର୍ଡ ଛକ ପଟୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ଯାନବାହାନ ଗୁଡ଼ିକ କେଶରୀ ଟକୀଜ୍ ଠାରୁ ଆଗକୁ ନଯାଇ ସେହିଠାରୁ ବାମପଟ ଲେନ୍ ଦେଇ ଯାତାୟତ କରିପାରିବେ । ସେହିପରି ଏ.ଜି. ଛକରୁ ପି.ଏମ୍.ଜି. ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଜୟଦେବ ଭବନ ଗଳି ରାସ୍ତା ଦେଇ ଇଡକଲ୍ ଅଡିଟୋରିୟମ୍ ପଟକୁ ଯିବେ ।
୧୨୦ ବାଟାଲିୟନ୍ ଛକରୁ ରବିନ୍ଦ୍ରମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଏମ୍.ଏଲ୍.ଏ. କଲୋନୀ ରାସ୍ତା ଦେଇ ୟୁନିଟ୍ -୪ ନମ୍ବର ଆଡ଼କୁ ଯିବେ । ମହାତ୍ମା ଗାନ୍ଧୀ ମାର୍ଗ ସଂଲଗ୍ନ ସମସ୍ତ ଲେନ୍ ଓ ବାଇଲେନ୍ ଗୁଡ଼ିକରେ ଯାନବାହାନ ଚଳାଚଳ ବନ୍ଦ ରହିବ । କେବଳ ପଦଚାରୀ ମାନେ ଚାଲିକରି ମହାତ୍ମା ଗାନ୍ଧୀ ମାର୍ଗକୁ ଆସିପାରିବେ ।
ସେହିପରି ଗାଡ଼ି ରଖିବା ପାଇଁ ନିର୍ଦ୍ଧିଷ୍ଟ ପାର୍କିଂ ସ୍ଥାନ ରହିଛି ।
ପାର୍କିଂ ପାଇଁ ନିର୍ଦ୍ଧାରିତ ସ୍ଥାନ
ରେଳଷ୍ଟେସନ ପାଖ ବି.ଡ଼ି.ଏ. ବସଷ୍ଟାଣ୍ଡ ।
କଂଗ୍ରେସ ଭବନ ପାଖ ଖୋଲା ସ୍ଥାନ ।
ଇଡକ୍ଟଲ୍ ଅଡିଟୋରିୟମ୍ ପାଖ ଖୋଲା ସ୍ଥାନ ।
ଜୟଦେବ ଭବନ ସାମ୍ନାରେ ଥିବା ଖୋଲା ସ୍ଥାନ ।
ୟୁନିଟ୍-୩ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଥିବା ଖୋଲା ସ୍ଥାନ ।
ରବିନ୍ଦ୍ରମଣ୍ଡପ ହତା ଭିତର ଖୋଲା ସ୍ଥାନ ।
ୟୁନିଟ୍-୨ ସରକାରୀ ବାଳିକା ବିଦ୍ୟାଳୟ ପଡ଼ିଆ ।
ଏହି ସବୁ ନିୟମ ଉଲ୍ଲଂଘନ କଲେ ଓଡ଼ିଶା ଅର୍ବାନ୍ ପୋଲିସ ଆକ୍ଟ ଧାରା ୯୬ ଅନୁଯାୟୀ ସର୍ବନିମ୍ନ ୫୦୦ ଟଙ୍କା ଏବଂ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯିବ ।