ସୁନ୍ଦରଗଡ଼ : ଆଜି କିଞ୍ଜିରକେଲା ଥାନା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ବାମୀସ୍ତ୍ରୀଙ୍କ ଜୀବନ ଯାଇଥିବା ବେଳେ ଶିଶୁପୁତ୍ର ଗୁରୁତର ଆହତ ହୋଇଛନ୍ତି।
ସୂଚନାନୁସାରେ, ଦୁର୍ଘଟଣାଟି ଅପରାହ୍ଣ ପ୍ରାୟ ୪ଟା ବେଳେ କିଞ୍ଜିରକେଲା ଥାନା ବନ୍ଧବାହାଲ ବରଡିହି ଛକରେ ଏହି ଦୁର୍ଘଟଣା ଘଟିଛି। ଏକ ମୋଟରସାଇକଲ୍ (ସିଜି ୧୪ ଏମ୍ଏଚ୍- ୨୬୧୩)ରେ ସ୍ବାମୀ-ସ୍ତ୍ରୀ ଓ ତାଙ୍କର ଶିଶୁପୁତ୍ର (୩ବର୍ଷ) ଯାଉଥିଲେ। ଏହି ସମୟରେ ଏକ ହାଇୱା (ଓଡି ୧୬ ପି ୫୨୧୬) ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ଧକ୍କା ଏଭଳି ତୀବ୍ର ଥିଲା ଯେ ମୋଟରସାଇକଲଟି ଚୂରମାର ହୋଇଯିବା ସହ ତିନିହେଁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକ ପୁଲିସକୁ ସୂଚିତ କରିବା ସହ ଗୁରୁତର ଶିଶୁକୁ ତୁରନ୍ତ କିଞ୍ଜିରିକେଲା ଡାକ୍ତରଖାନା ପଠାଇଥିଲେ। ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ ଶିଶୁଟିକୁ ସୁନ୍ଦରଗଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ପହଞ୍ଚି ହାଇୱାକୁ ଜବତ କରିଛି। ସ୍ବାମୀସ୍ତ୍ରୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନା ପଠାଇଛି। ଖବର ଲେଖାଯିବା ବେଳକୁ ମୃତକଙ୍କ ପରିଚୟ ମିଳିନାହିଁ।