ବାଂଲାଦେଶରେ ହିନ୍ଦୁ ପରିବାରର ୪ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୩/୦୮ : ବାଂଲାଦେଶରେ ଏକ ହିନ୍ଦୁ ପରିବାରର ଚାରି ଜଣଙ୍କ ମୃତଦେହ ସେମାନଙ୍କ ଘରୁ ଉଦ୍ଧାର ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି । ସେମାନଙ୍କୁ ହତ୍ୟା କରାଯାଇଛି ପ୍ରାରମ୍ଭିକ ତଦନ୍ତରୁ ପୋଲିସ ସନ୍ଦେହ କରୁଛି । ଘରଟି କିଛି ସମୟ ପାଇଁ ବନ୍ଦ ଥିଲା । କିଛି ସମୟ ପରେ ଘର ଭିତରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଲା ଭାଙ୍ଗି ଭିତରକୁ ପଶିଥିଲା । ସେମାନେ ଘରୁ ଚାରି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ । ଗତକାଲି ବିଳମ୍ବିତ ରାତିରେ ବାଂଲାଦେଶର ରଙ୍ଗପୁର ସହରର ଏକ ବନ୍ଦ ଘରୁ ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷକ, ତାଙ୍କ ସ୍ତ୍ରୀ, ଝିଅ ଏବଂ ପୁଅଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟକୁ ଚିହ୍ନଟ କରିଛି ପୋଲିସ୍ । ମୃତକମାନେ ହେଲେ ଅବସରପ୍ରାପ୍ତ ରଙ୍ଗପୁର ଜିଲ୍ଲା ସ୍କୁଲ ଶିକ୍ଷକ ଗଣପତି ଚକ୍ରବର୍ତ୍ତୀ (୬୫), ତାଙ୍କ ସ୍ତ୍ରୀ ପ୍ରୀତିଲତା ଚକ୍ରବର୍ତ୍ତୀ (୫୦), ଝିଅ ଆମି ଚକ୍ରବର୍ତ୍ତୀ ପ୍ରାଥୀ (୨୩) ଏବଂ ପୁଅ ପ୍ରିୟମ ଚକ୍ରବର୍ତ୍ତୀ (୧୨) । ଏହାରି ମଧ୍ୟରେ ରଙ୍ଗପୁର ମେଟ୍ରୋପଲିଟାନ ସିଆଇଡି ଇନଚାର୍ଜ ସୁବୀର ଚୌଧୁରୀ କହିଛନ୍ତି ଯେ, ମା ଏବଂ ଝିଅଙ୍କ ମୃତଦେହ ସିଡ଼ିରେ ମିଳିଥିଲାବେଳେ ଗଣପତିଙ୍କ ମୃତଦେହ ଛାତ ଉପରୁ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ଘରର ଖଟ ତଳୁ ପୁଅ ପ୍ରିୟମର ମୃତଦେହ ମିଳିଥିଲା । ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ରଙ୍ଗପୁର ମେଡିକାଲ କଲେଜ ହସ୍ପିଟାଲ ମର୍ଚ୍ୟୁରୀକୁ ପଠାଯାଇଛି । ପୋଷ୍ଟମର୍ଟମ ଏବଂ ତଦନ୍ତ ପରେ ହିଁ ମୃତ୍ୟୁର ସଠିକ୍ କାରଣ ଜଣାପଡିବ । କିନ୍ତୁ ଏହା ଯୋଜନାବଦ୍ଧ ହତ୍ୟା ବୋଲି ସନ୍ଦେହ କରାଯାଉଛି । ଏଥିସହ ପୋଲିସ ଏବଂ CID ର ଫୋରେନସିକ୍ ଦଳ ମୃତ୍ୟୁର ସଠିକ୍ କାରଣ ଏବଂ ସମୟ ନିର୍ଣ୍ଣୟ କରିବା ପାଇଁ ତଦନ୍ତ କରୁଛନ୍ତି ।