ବାଣ ଗୋଦାମରେ ବିସ୍ଫୋରଣ, ୭ ମୃତ

ନୂଆଦିଲ୍ଲୀ, ୩୧/୦୮ : ଉତ୍ତରପ୍ରଦେଶର କୌଶାମ୍ବୀରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସକାଳ ୧୧ଟା ସମୟରେ ଭୟଙ୍କର ବିସ୍ଫୋରଣ ହେବାରୁ ଆତଙ୍କ ଖେଳିଯାଇଥିଲା । ବିସ୍ଫୋରଣ ପ୍ରଭାବରେ ଆଖପାଖରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଛ । ଘଟଣା ସ୍ଥଳରେ ପୋଲିସ ଏବଂ ପ୍ରଶାସନ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପିପରି ଥାନା ଓ ପୁରାମୁଫ୍ତି ଥାନା ଅଞ୍ଚଳର ସୀମା ନିକଟରେ ଥିବା ଏକ ବାଣ ଗୋଦାମରେ ସକାଳ ପ୍ରାୟ ୧୧ଟା ସମୟରେ ଏହି ବିସ୍ଫୋରଣ ଘଟିଥିଲା । ବିସ୍ଫୋରଣର ଶବ୍ଦ ପ୍ରାୟ ୨ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିବା କୁହାଯାଉଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି । ଭୟଙ୍କର ବିସ୍ଫୋରଣର ପ୍ରଭାବରେ ଗୋଦାମ ନିକଟରେ ଥିବା ଅନେକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ କିଛି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ଧ୍ବଂସାବଶେଷ ତଳୁ କିଛି ଲୋକ ଫସିଥିବା ଆଶଙ୍କା କରାଯାଉଛି ।

ଘଟଣାର ସୂଚନା ପାଇବା ପରେ ପୋଲିସ, ପ୍ରଶାସନିକ ଅଧିକାରୀ, ଅଗ୍ନିଶମ ବାହିନୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଫସିଥିବା ଲୋକଙ୍କୁ ଖୋଜିବା ସହ ଆହତମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି । ବିସ୍ଫୋରଣ ପରେ ମଧ୍ୟ ଘଟଣାସ୍ଥଳରେ କିଛି ପଟାକା ଫୁଟୁଥିବାରୁ ଉଦ୍ଧାରକାରୀ ଦଳଙ୍କୁ ସତର୍କତାର ସହ କାମ କରିବାକୁ ପଡ଼ୁଛି । ଅଗ୍ନିଶମ ବାହିନୀର ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିବାରେ ଲାଗିଛି। ଅଞ୍ଚଳକୁ ସୁରକ୍ଷିତ କରିବା ପାଇଁ ଅନେକ ଥାନାର ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଶାମ୍ବୀ ଜିଲ୍ଲାର ଡିଏମ୍ ଓ ଏସ୍ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରାଥମିକ ଭାବେ ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ ଏକାଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ମୃତକ ଓ ଆହତଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।