ପୌରାଣିକ ଯୁଗର ୫ ଶକ୍ତିଶାଳୀ ଦିବ୍ୟ ତଲୱାର, ଜାଣନ୍ତୁ ଏହାର ରହସ୍ୟ

ହିନ୍ଦୁ ଧର୍ମରେ ଅନେକ ଦିବ୍ୟ ଶକ୍ତି ଓ ଅସ୍ତ୍ରଶସ୍ତ୍ର ବିଷୟରେ ବର୍ଣ୍ଣନା ମିଳେ। ଏଥିରେ କିଛି ତଲୱାର ଏତେ ଶକ୍ତିଶାଳୀ ଥିଲା ଯେ ସେଗୁଡ଼ିକ ସାମ୍ନାରେ ସାଧାରଣ ଅସ୍ତ୍ରଶସ୍ତ୍ର ହାର୍ ମାନିଯିବ ବୋଲି ପୌରାଣିକ କଥାରେ କୁହାଯାଏ । ରାମାୟଣ ଓ ମହାଭାରତରେ ଏପରି ଅନେକ ଦିବ୍ୟ ଅସ୍ତ୍ରର ଉଲ୍ଲେଖ ମିଳେ । ଏହି ଅସ୍ତ୍ରଗୁଡ଼ିକୁ ସମ୍ଭାଳିବା କିମ୍ବା ବ୍ୟବହାର କରିବା ସାଧାରଣ ଯୋଦ୍ଧାଙ୍କ ପକ୍ଷରେ ସମ୍ଭବ ନଥିଲା । ଏହି ଦିବ୍ୟ ଅସ୍ତ୍ର ମଧ୍ୟରେ ତଲୱାର ଓ ଖଡ଼ଗର ମଧ୍ୟ ଏକ ବିଶେଷ ସ୍ଥାନ ରହିଛି । ତଲୱାରର ଗୋଟିଏ କିମ୍ବା ଦୁଇଟି ଧାର ଥାଇପାରେ । ଅନ୍ୟପଟେ, ଖଡ଼ଗକୁ ସାଧାରଣତଃ ଚଉଡ଼ା ଓ ଧାରୁଆ ତଲୱାର ଭାବେ ବର୍ଣ୍ଣନା କରାଯାଏ । ତେବେ ଆସନ୍ତୁ ଜାଣିବା, ପୌରାଣିକ କଥାରେ ଅସାଧାରଣ ଶକ୍ତିରେ ଭରପୂର ବୋଲି କୁହାଯାଉଥିବା ୫ଟି ଦିବ୍ୟ ତଲୱାର ବିଷୟରେ ।

କୌଶଲ୍ୟ ତଲୱାର: ପ୍ରଥମେ ଆସେ କୌଶଲ୍ୟ ତଲୱାର । ପୌରାଣିକ ମାନ୍ୟତା ଅନୁସାରେ, ଏହି ତଲୱାରକୁ ସ୍ୱୟଂ ବିଶ୍ୱକର୍ମା ତିଆରି କରିଥିଲେ । ଏହାକୁ ଦେବତାଙ୍କ ଗୁରୁ ବୃହସ୍ପତିଙ୍କ ସହ ମଧ୍ୟ ଯୋଡ଼ାଯାଏ । କୁହାଯାଏ, ରାକ୍ଷସ ଓ ଅସୁରଙ୍କଠାରୁ ନିଜକୁ ରକ୍ଷା କରିବା ପାଇଁ ବୃହସ୍ପତି ଏହି ଦିବ୍ୟ ତଲୱାର ବ୍ୟବହାର କରୁଥିଲେ । ପରେ ଗଙ୍ଗାପୁତ୍ର ଭୀଷ୍ମ ତାଙ୍କଠାରୁ ଶିକ୍ଷା ଗ୍ରହଣ କରିବା ସମୟରେ ଏହି ତଲୱାର ପାଇଥିଲେ ବୋଲି ମାନ୍ୟତା ରହିଛି ।

ଅସି ତଲୱାର: ଦ୍ୱିତୀୟ ତଲୱାର ହେଉଛି ଅସି । ମହାଭାରତର ଶାନ୍ତି ପର୍ବରେ ଅସି ତଲୱାର ପ୍ରକଟ ହେବାର ଏକ ରୋଚକ କଥା ମିଳେ । କୁହାଯାଏ, ପୃଥିବୀରେ ଯେତେବେଳେ ଅଧର୍ମ ଓ ଅସୁରଙ୍କ ପ୍ରଭାବ ବଢ଼ିଗଲା, ସେତେବେଳେ ଋଷିମାନେ ଏକ ଯଜ୍ଞ କରିଥିଲେ । ଯଜ୍ଞ ସମୟରେ ଏକ ଭୟଙ୍କର ଆକୃତି ପ୍ରକଟ ହୋଇଥିଲା। ପରେ ସେହି ଆକୃତି ଏକ ଚମକୁଥିବା ଓ ଧାରୁଆ ତଲୱାରରେ ପରିଣତ ହୋଇଥିଲା । ଏହି ତଲୱାରକୁ ‘ଅସି’ ନାମ ଦିଆଯାଇଥିଲା ବୋଲି କଥା ରହିଛି ।

ନରସିଂହ ତଲୱାର: ତୃତୀୟ ସ୍ଥାନରେ ରହିଛି ନରସିଂହ ତଲୱାର । ମହାଭାରତର ପାଞ୍ଚ ପାଣ୍ଡବଙ୍କ ମଧ୍ୟରେ ନକୁଳ ତାଙ୍କ ସୁନ୍ଦରତା, ଘୋଡ଼ା ଚାଳନା ଓ ତଲୱାରବାଜି ପାଇଁ ବେଶ୍ ପରିଚିତ ଥିଲେ । ନକୁଳ ଯୁଦ୍ଧକଳାରେ ବହୁତ ଦକ୍ଷ ଥିଲେ ଏବଂ ତଲୱାର ଚାଳନାରେ ତାଙ୍କର ବିଶେଷ ଦକ୍ଷତା ଥିଲା । ପୌରାଣିକ ମାନ୍ୟତା ଅନୁସାରେ, ନକୁଳଙ୍କ ପାଖରେ ‘ନରସିଂହ ତଲୱାର’ ନାମରେ ଏକ ଦିବ୍ୟ ତଲୱାର ଥିଲା । କୁହାଯାଏ, ଇନ୍ଦ୍ରପ୍ରସ୍ଥ ନିର୍ମାଣ ସମୟରେ ଭଗବାନ କୃଷ୍ଣଙ୍କ ପ୍ରେରଣାରେ ବିଶ୍ୱକର୍ମା ପାଣ୍ଡବମାନଙ୍କ ପାଇଁ ଅନେକ ଦିବ୍ୟ ବସ୍ତୁ ଓ ଅସ୍ତ୍ରଶସ୍ତ୍ରର ବ୍ୟବସ୍ଥା କରିଥିଲେ। ସେହି ସମୟରେ ନକୁଳଙ୍କୁ ଏହି ବିଶେଷ ତଲୱାର ମିଳିଥିଲା ବୋଲି କୁହାଯାଏ ।

ନନ୍ଦକ ତଲୱାର: ଚତୁର୍ଥ ତଲୱାର ହେଉଛି ନନ୍ଦକ । ନନ୍ଦକ ଭଗବାନ ବିଷ୍ଣୁଙ୍କ ଦିବ୍ୟ ତଲୱାର ବୋଲି ପୌରାଣିକ କଥାରେ କୁହାଯାଏ । ଭଗବାନ ବିଷ୍ଣୁ ଅନେକ ଶକ୍ତିଶାଳୀ ଦୈତ୍ୟ ଓ ଅସୁରଙ୍କ ବିନାଶରେ ଏହି ତଲୱାର ବ୍ୟବହାର କରିଥିଲେ ବୋଲି ମାନ୍ୟତା ରହିଛି । ଏହାର ଧାର ବହୁତ ତୀକ୍ଷ୍ଣ ଥିଲା ବୋଲି କୁହାଯାଏ । ବଡ଼ ବଡ଼ ଅସ୍ତ୍ର ଓ କବଚ ମଧ୍ୟ ଏହା ସାମ୍ନାରେ ଟିକି ପାରୁନଥିଲା ବୋଲି ପୌରାଣିକ ବର୍ଣ୍ଣନାରେ ମିଳେ ।

ଚନ୍ଦ୍ରହାସ ତଲୱାର: ଏହି ତାଲିକାର ପଞ୍ଚମ ତଲୱାର ହେଉଛି ଚନ୍ଦ୍ରହାସ । ଚନ୍ଦ୍ରହାସର ଅର୍ଥ ହେଉଛି ଚନ୍ଦ୍ରମା ଭଳି ଚମକୁଥିବା । ପୌରାଣିକ କଥାରେ ଚନ୍ଦ୍ରହାସକୁ ଭଗବାନ ଶିବଙ୍କ ଏକ ଅତ୍ୟନ୍ତ ଶକ୍ତିଶାଳୀ ଦିବ୍ୟ ଅସ୍ତ୍ର ବୋଲି କୁହାଯାଏ । ରାମାୟଣ ସହ ଜଡ଼ିତ ଏକ ମାନ୍ୟତା ଅନୁସାରେ, ଥରେ ରାବଣ ଭଗବାନ ଶିବଙ୍କ ବାସସ୍ଥାନ କୈଳାସ ପର୍ବତକୁ ଯାଇଥିଲେ । କୈଳାସ ତାଙ୍କ ରାସ୍ତାରେ ବାଧା ହେଉଛି ବୋଲି ଭାବି ରାବଣ ନିଜ ବାହୁରେ ପର୍ବତକୁ ଉଠାଇବାକୁ ଚେଷ୍ଟା କରିଥିଲେ।ରାବଣଙ୍କ ଏହି ଅହଂକାର ଦେଖି ଭଗବାନ ଶିବ ନିଜ ପାଦର ବୁଢ଼ା ଆଙ୍ଗୁଠିରେ କୈଳାସ ପର୍ବତକୁ ଚାପି ଦେଇଥିଲେ । ଫଳରେ ରାବଣଙ୍କ ବାହୁ ପର୍ବତ ତଳେ ଫସିଯାଇଥିଲା । ଏହାପରେ ରାବଣ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ସ୍ତୁତି କରିଥିଲେ । ରାବଣଙ୍କ ଭକ୍ତିରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ମୁକ୍ତ କରିଥିଲେ ଏବଂ ଚନ୍ଦ୍ରହାସ ତଲୱାର ପ୍ରଦାନ କରିଥିଲେ ବୋଲି ପୌରାଣିକ କଥାରେ କୁହାଯାଏ ।