ଭାରତର ସବୁଠୁ ଧନୀ ଗଣପତି ମଣ୍ଡପ : ଗଣେଶ ଲଗାଇଛନ୍ତି ୬୬ କିଲୋର ସୁନା

ନୂଆଦିଲ୍ଲୀ, ୧୭/୦୯ : ଭାରତର ସବୁଠୁ ଧନୀ ଗଣପତି ମଣ୍ଡପ । ଅଗ୍ରପୂଜ୍ୟ ଲଗାଇଛନ୍ତି ୬୬ କିଲୋର ସୁନା, ୩୩୫ କିଲୋର ରୂପା । ଭକ୍ତଙ୍କ ସୁରକ୍ଷା ପାଇଁ ହୋଇଛି ସ୍ପେଶାଲ୍ ଇନ୍ସୁରାନ୍ସ । ଭକ୍ତଙ୍କ ପାଇଁ ହୋଇଛି କୋଟି କୋଟିର ଇନ୍ସୁରାନ୍ସ । ଲାଲବାଗଚା’ ରାଜା ନୁହେଁ ତେବେ କେଉଁଠି ଅଛି ବିଘ୍ନରାଜଙ୍କ ଏହି ଭବ୍ୟ ମଣ୍ଡପ ଆସନ୍ତୁ ଦେଖିବା ଏହି ସ୍ପେଶାଲ୍ ରିପୋର୍ଟରେ । ଭକ୍ତିମୟ ପରିବେଶରେ ବୁଡ଼ିଛି ସାରା ଭାରତ । ଦେଶରେ ଏବେ ଗୋଟିଏ ନାମ ଓଁ ଗଂ ଗଣେଶାୟ ନମଃ । ଭକ୍ତଙ୍କ ନିମନ୍ତ୍ରଣରେ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ପ୍ରଭୁ ଶ୍ରୀଗଣେଶ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାୟାନଗରୀ ମୁମ୍ବାଇର କିଙ୍ଗସ୍ ସର୍କଲ୍‌ସ୍ଥିତ ‘ଜିଏସ୍‌ବି ସେବା ମଣ୍ଡଳ’ ପୂରା ଭାରତରେ ଆକର୍ଷଣର ଶୀର୍ଷରେ ରହିଛି। ଏହି ମଣ୍ଡପ ଭାରତର ସବୁଠାରୁ ଧନୀ ଗଣପତି ପଣ୍ଡାଲ୍ ଭାବେ ଗଣନା କରାଯାଏ। ଚଳିତଥର ଏହି ପଣ୍ଡାଲ୍‌ରେ ପ୍ରଭୁ ମହାଗଣପତିଙ୍କ ଆକର୍ଷଣୀୟ ସାଜସଜ୍ଜା, ସୁରକ୍ଷା ଓ ଅନ୍ନଦାନ ବ୍ୟବସ୍ଥା ସମସ୍ତଙ୍କୁ ଚକିତ କରିଦେଇଛି। ଚଳିତବର୍ଷ ଏହି ପଣ୍ଡାଲ୍ ୭୨ତମ ଗଣେଶୋତ୍ସବ ପାଳନ କରୁଛି । ଏହି ପଣ୍ଡାଲ୍‌ରେ ସ୍ଥାପିତ ଗଣପତିଙ୍କ ପ୍ରତିମାକୁ ଅତ୍ୟନ୍ତ ଦିବ୍ୟ ଓ ଆକର୍ଷଣୀୟ ଭାବେ ସଜାଯାଇଛି ।

ଏହି ମଣ୍ଡପର ସବୁଠାରୁ ରୋଚକ କଥା ହେଲା ଅଗ୍ରପୂଜ୍ୟଙ୍କ ଶରୀରରେ ଶୋଭା ପାଉଥିବା ବିଭିନ୍ନ ଆଭୂଷଣ ଓ ମୁକୁଟରେ ୬୬ କିଲୋଗ୍ରାମରୁ ଅଧିକ ସୁନା ବ୍ୟବହୃତ ହୋଇଛି। ପ୍ରଭୁଙ୍କ ସିଂହାସନ, ଆୟୁଧ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀରେ ପ୍ରାୟ ୩୩୫ କିଲୋଗ୍ରାମ ରୂପା ବ୍ୟବହାର କରାଯାଇଛି। ସୁନା ଓ ରୂପା ବ୍ୟତୀତ ହଜାର ହଜାର ମୂଲ୍ୟବାନ୍ ହୀରା, ମାଣିକ ଓ ରତ୍ନରେ ପ୍ରଭୁଙ୍କ ବିଗ୍ରହକୁ ସଜାଯାଇଛି ଯାହା ବର୍ଷ ବର୍ଷ ଧରି ଶ୍ରଦ୍ଧାଳୁମାନଙ୍କ ଦ୍ୱାରା ଦାନ ଆକାରରେ ମିଳିଛି। ଗଣପତିଙ୍କ ଆଭୂଷଣ, ପଣ୍ଡାଲ୍‌ର ସମ୍ପତ୍ତି ଏବଂ ଦର୍ଶନ ପାଇଁ ଆସୁଥିବା ଲକ୍ଷାଧିକ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମଣ୍ଡଳ ପକ୍ଷରୁ ୭୦୩.୨୭ କୋଟି ଟଙ୍କାର ଏକ ବିଶାଳ ଇନ୍‌ସୁରାନ୍ସ କଭର୍ ନିଆଯାଇଛି। ଗତବର୍ଷ ଏହି ବୀମା ପ୍ରାୟ ୪୭୪ କୋଟି ଟଙ୍କାର ରହିଥିବା ବେଳେ ଏଥର ଗହଣାର ମୂଲ୍ୟ ବୃଦ୍ଧି ଓ ସୁରକ୍ଷା କାରଣରୁ ଏହାକୁ ୭୦୩ କୋଟିରୁ ଅଧିକ କରାଯାଇଛି। ଏହା ଭାରତର କୌଣସି ବି ଗଣପତି ପଣ୍ଡାଲ୍ ପାଇଁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ବୀମା କଭର୍।

କେବଳ ଧନସମ୍ପତ୍ତି କିମ୍ବା ସୁନା-ରୂପାର ଚମକ ନୁହେଁ ବରଂ ଜିଏସ୍‌ବି ମଣ୍ଡଳ ନିଜର ଆଧ୍ୟାତ୍ମିକ ନିଷ୍ଠା, ବୈଦିକ ପୂଜାପଦ୍ଧତି ଏବଂ ନିରନ୍ତର ସେବା ଭାବନା ପାଇଁ ମଧ୍ୟ ଖୁବ୍ ପ୍ରସିଦ୍ଧ । ୫ ଦିନିଆ ଏହି ଉତ୍ସବରେ ପ୍ରତିଦିନ ୪୦,୦୦୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ପାଇଁ ମାଗଣା ଭୋଜନ/ପ୍ରସାଦ ସେବାର ବ୍ୟବସ୍ଥା କରାଯାଇଛି। ମୋଟ ୫ ଦିନରେ ୨ ଲକ୍ଷରୁ ଅଧିକ ଭକ୍ତ ପ୍ରସାଦ ଗ୍ରହଣ କରିବେ। ମଣ୍ଡଳ ପକ୍ଷରୁ ସଂପୂର୍ଣ୍ଣ ଇକୋ ଫ୍ରେଣ୍ଡଲି ମାଟି ପ୍ରତିମା ସ୍ଥାପନ କରାଯାଇଛି। କାଗଜ ନଷ୍ଟ ରୋକିବା ପାଇଁ ମଣ୍ଡଳ ପ୍ରିଣ୍ଟେଡ୍ ରସିଦ୍ ବଦଳରେ ସମ୍ପୂର୍ଣ୍ଣ ଡିଜିଟାଲ୍ ରସିଦ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିଛି। ମୁମ୍ବାଇର ଏହି ଗଣପତି ମଣ୍ଡପରେ ପ୍ରଭୁଙ୍କ ଦିବ୍ୟ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି।