ପାର୍ବଣ ପୂର୍ବରୁ ଆକ୍ସନ ମୋଡ୍‌ରେ ପୁଲିସ, ଅପରାଧୀଙ୍କ ଉପରେ କଡ଼ା ନଜର

ଭୁବନେଶ୍ୱର, ୦୫/୧୦ : ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି, ଶୃଙ୍ଖଳା ଓ ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ଦମନ ଅଭିଯାନ । ଅପରାଧୀ ଓ ଅସମାଜିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଡିଜି ବିନୟ ତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଅପରାଧ, ନିଶାଦ୍ରବ୍ୟ କାରବାର ଉପରେ ରୋକ ଲଗାଇବାକୁ ଆରମ୍ଭ ହୋଇଛି ବଡ଼ ଅଭିଯାନ । ଏହି ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧,୪୪୮ NBW କାର୍ଯ୍ୟକାରୀ କରାଯାଇଥିବା ବେଳେ ୧ ହଜାର ୭୦୭ ଅବକାରୀ ମାମଲା ଓ ୮୯ NDPS ମାମଲା ରୁଜୁ ହୋଇଛି । ଡିଜିଙ୍କ ନିର୍ଦ୍ଦେଶରେ ଜିଲ୍ଲା ପୁଲିସ, କମିଶନରେଟ ପୁଲିସ, ରେଳବାଇ ପୁଲିସ ଓ ଅନ୍ୟାନ୍ୟ ପୁଲିସ ୟୁନିଟ ଗୁଡିକର ମିଳିତ ସମନ୍ୱୟରେ ସେପ୍ଟେମ୍ବର ୨୧ରୁ ସ୍ୱତନ୍ତ୍ର ଅଭିଯାନ ‘ଦମନ’ ଚାଲିଥିଲା। ପୁଲିସର କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଡିଜିପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।