ଭୁବନେଶ୍ୱର, ୦୬/୧୦ : ଓଡ଼ିଶା ସରକାର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି। ଅନେକ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ବିଭିନ୍ନ ଅଧିକାରୀଙ୍କୁ ନୂଆ ଦାୟିତ୍ୱ ମିଳିଛି। ଏନେଇ ସାଧାରଣ ପ୍ରଶାସନ ଓ ଲୋକ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କଟକସ୍ଥିତ ଆରଡିସି କାର୍ଯ୍ୟାଳୟରେ ଅତିରିକ୍ତ ଆୟୁକ୍ତ ଭାବେ କାର୍ଯ୍ୟରତ ସୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। ସେହିପରି ବିବେକାନନ୍ଦ ସାହୁଙ୍କୁ ଭୁବନେଶ୍ୱର ଅତିରିକ୍ତ ପୁନର୍ବିଚାର ଅଦାଲତର ଅତିରିକ୍ତ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ବାସୁଦେବ ନାୟକଙ୍କୁ କଟକ ଆରଡିସି କାର୍ଯ୍ୟାଳୟର ଅତିରିକ୍ତ ଆୟୁକ୍ତ ଦାୟିତ୍ୱ ମିଳିଛି।
ପ୍ରତାପ ପ୍ରୀତିମୟାଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ କରାଯାଇଛି। ଅନ୍ୟପକ୍ଷରେ ଆଶୁତୋଷ ସାମଲଙ୍କୁ ଓଡ଼ିଶା ମାନବାଧିକାର ଆୟୋଗର ସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି।
ସରୋଜ କୁମାର ସ୍ୱାଇଁଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷର ସଚିବ ଦାୟିତ୍ୱ ଦିଆଯାଇଛି। ମୟାଧର ବେହେରାଙ୍କୁ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଅଶୋକ କୁମାର ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗର ଉପସଚିବ, ଉମାକାନ୍ତ ପରିଡ଼ାଙ୍କୁ ପର୍ଯ୍ୟଟନ ବିଭାଗର ଉପସଚିବ ଏବଂ ଅନୁପ ପଣ୍ଡାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପସଚିବ ଭାବେ ନୂଆ ଦାୟିତ୍ୱ ମିଳିଛି। ପରକ୍ଷିତ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଉପସଚିବ କରାଯାଇଛି। ଏହାସହ ଅନ୍ୟ କିଛି ଅଧିକାରୀଙ୍କୁ ମଧ୍ୟ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି। ସରକାରଙ୍କ ଏହି ଅଦଳବଦଳ ପରେ ବିଭିନ୍ନ ବିଭାଗରେ ପ୍ରଶାସନିକ କାର୍ଯ୍ୟ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।