୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇବେ ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲେ

ନୂଆଦିଲ୍ଲୀ, ୦୯/୧୦ : ୨୦୨୬ ମସିହାର ନୋବେଲ ଶାନ୍ତି ପୁରସ୍କାର ପାଇଁ ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଆଇନଜ୍ଞ ଓ ମାନବାଧିକାର କର୍ମୀ ନାଭାନେଥେମ୍ ନାଭି ପିଲ୍ଲେଙ୍କୁ ମନୋନୀତ କରାଯାଇଛି । ଶାନ୍ତି ପ୍ରତିଷ୍ଠା, ଅନ୍ତର୍ଜାତୀୟ ଆଇନକୁ ସୁଦୃଢ଼ କରିବା ଏବଂ ଯୁଦ୍ଧ ଅପରାଧର ବିଚାର ପାଇଁ ଦୀର୍ଘଦିନର ଅବଦାନକୁ ସ୍ୱୀକୃତି ଦେଇ ନରୱେ ନୋବେଲ କମିଟି ତାଙ୍କୁ ଏହି ସମ୍ମାନ ପାଇଁ ବାଛିଛି । ନାଭି ପିଲ୍ଲେ ଦକ୍ଷିଣ ଆଫ୍ରିକାର ଡର୍ବାନ ସହରରେ ଏକ ଭାରତୀୟ ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ନୀତି ପ୍ରଚଳିତ ଥିଲା । ଏଭଳି ପରିସ୍ଥିତିରେ ସେ ଆଇନ ଶିକ୍ଷା ଗ୍ରହଣ କରି ଜଣେ ଆଇନଜୀବୀ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସମୟରେ ନେଲସନ୍ ମଣ୍ଡେଲା ଓ ଅନ୍ୟାନ୍ୟ ଆନ୍ଦୋଳନକାରୀଙ୍କ ଆଇନଗତ ଅଧିକାର ପାଇଁ ସେ କାମ କରିଥିଲେ । ପରବର୍ତ୍ତୀ ସମୟରେ ଦକ୍ଷିଣ ଆଫ୍ରିକାର ହାଇକୋର୍ଟରେ ବିଚାରପତି ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ନ୍ୟାୟିକ ସଂସ୍ଥାରେ ଦାୟିତ୍ୱ ତୁଲାଇଥିଲେ ।

ରୁୱାଣ୍ଡାରେ ହୋଇଥିବା ଗଣହତ୍ୟାର ବିଚାର ପାଇଁ ଗଠିତ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲରେ ତାଙ୍କ ଭୂମିକା ଐତିହାସିକ ଥିଲା । ଯୁଦ୍ଧ ଓ ସଂଘର୍ଷ ସମୟରେ ଦୁଷ୍କର୍ମ ଓ ଯୌନ ହିଂସାକୁ ମାନବତା ବିରୋଧୀ ଅପରାଧ ଏବଂ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ଗଣହତ୍ୟାର ଅଂଶ ଭାବେ ବିବେଚନା କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଥିଲେ । ନାଭି ପିଲ୍ଲେ ଅନ୍ତର୍ଜାତୀୟ ଅପରାଧ ଅଦାଲତର ବିଚାରପତି ଏବଂ ମିଳିତ ଜାତିସଂଘର ମାନବାଧିକାର ହାଇକମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ପାଲେଷ୍ଟାଇନ ଅଞ୍ଚଳରେ ମାନବାଧିକାର ଉଲ୍ଲଂଘନ ଅଭିଯୋଗର ତଦନ୍ତ ପାଇଁ ଗଠିତ ଜାତିସଂଘର ସ୍ୱାଧୀନ ତଦନ୍ତ କମିଶନର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ସେ ତୁଲାଇଛନ୍ତି । ନାଭି ପିଲ୍ଲେ ନିଜ କାର୍ଯ୍ୟଜୀବନରେ ଯୁଦ୍ଧ ଅପରାଧ, ମାନବତା ବିରୋଧୀ ଅପରାଧ ଓ ଗଣହତ୍ୟା ପାଇଁ ଦାୟୀ ବ୍ୟକ୍ତିଙ୍କୁ ଆଇନ ଆଗରେ ଉତ୍ତରଦାୟୀ କରିବା ଦିଗରେ ନିରନ୍ତର କାର୍ଯ୍ୟ କରିଛନ୍ତି । ଦେଶ ଯେତେ ଶକ୍ତିଶାଳୀ ହେଉନା କାହିଁକି, ସମସ୍ତେ ଅନ୍ତର୍ଜାତୀୟ ଆଇନକୁ ସମ୍ମାନ ଦେବା ଆବଶ୍ୟକ ବୋଲି ସେ ଗୁରୁତ୍ୱ ଦେଇଆସିଛନ୍ତି । ବିଶ୍ୱର ବିଭିନ୍ନ ସ୍ଥାନରେ ଯୁଦ୍ଧ ଓ ସଂଘର୍ଷ ବଢ଼ୁଥିବା ବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ଆଇନ ଓ ନ୍ୟାୟର ଗୁରୁତ୍ୱକୁ ନୋବେଲ କମିଟି ଉଲ୍ଲେଖ କରିଛି । କେବଳ ସାମରିକ ଶକ୍ତି କିମ୍ବା ରାଜନୈତିକ ପ୍ରଭାବ ନୁହେଁ, ବରଂ ନ୍ୟାୟ ଓ ଆଇନର ଶାସନ ଉପରେ ସ୍ଥାୟୀ ଶାନ୍ତି ନିର୍ଭର କରେ ବୋଲି କମିଟି କହିଛି। ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲେଙ୍କ ଦୀର୍ଘ ଆଇନଗତ ସଂଘର୍ଷ ଓ ମାନବାଧିକାର ପ୍ରତି ପ୍ରତିବଦ୍ଧତାକୁ ଏହି ନୋବେଲ ସମ୍ମାନ ମାଧ୍ୟମରେ ସ୍ୱୀକୃତି ମିଳିଛି ।