ଆମ ଭାରତୀୟ ପାରମ୍ପରିକ ଆହାର ଓ ଚିକିତ୍ସାରେ କଦଳୀ ଗଛର ପ୍ରତିଟି ଅଂଶର ଏକ ବିଶେଷ ମହତ୍ତ୍ୱ ରହିଛି । କଦଳୀ ପତ୍ରଠୁ ଆରମ୍ଭ କରି ଫୁଲ ପର୍ଯ୍ୟନ୍ତ ଆମେ ଖାଦ୍ୟରେ ସବୁ ବ୍ୟବହାର କରିଥାଉ । ଆମେ ଆଜି ଆପଣଙ୍କ କଦଳୀର ମଞ୍ଜା ବିଷୟରେ କହିବାକୁ ଯାଉଛି । ଯାହାର ଫଳଠାରୁ ଆରମ୍ଭ କରି ମଞ୍ଜା ପର୍ଯ୍ୟନ୍ତ ଆମ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ ।
କଦଳୀ ମଞ୍ଜା କିଛି ଲୋକଙ୍କୁ ପସନ୍ଦ ଥିଲାବେଳେ ଆଉ କିଛି ଲୋକଙ୍କୁ ଏହା ଆଦୌ ଭଲ ଲାଗିନଥାଏ । କଦଳୀ ମଞ୍ଜାରେ କେହି ବରା କରି ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ରାଇ କରି ଖାଇଥାଆନ୍ତି । ଯାହା ଆମକୁ ଅନେକ ସ୍ବାସ୍ଥ୍ୟଗତ ଲାଭ ପ୍ରଦାନ କରିଥାଏ । ଏହାର ରସ ମଧ୍ୟ ଉପକାରୀ ହୋଇଥାଏ । ଏଥିରେ ପ୍ରଚୁର ପରିମାଣରେ ଫାଇବର, ପୋଟାସିଅମ୍ ଏବଂ ଭିଟାମିନ୍ ଭରି ରହିଛି । କଦଳୀ ମଞ୍ଜା ରସ ଏକ ପ୍ରାକୃତିକ ‘ଡାୟୁରେଟିକ୍’ ଭାବରେ କାର୍ଯ୍ୟ କରେ । ଏହା ଶରୀରରୁ ଅତିରିକ୍ତ ଲୁଣ, ବିଷାକ୍ତ ପଦାର୍ଥ ଓ ବର୍ଜ୍ୟବସ୍ତୁକୁ ପରିସ୍ରା ମାଧ୍ୟମରେ ବାହାର କରିଦିଏ । ଯେଉଁ ରସକୁ ପିଇବା ଦ୍ବାରା କିଡନି ଷ୍ଟୋନ୍, ଡାଇବେଟିସ୍, କୋଷ୍ଠକାଠିନ୍ୟ ଭଳି ରୋଗ ସମସ୍ୟାର ସମାଧାନ କରିଥାଏ । ତେବେ ଆସନ୍ତୁ ଆମେ ଆଜି କଦଳୀ ମଞ୍ଜା ଖାଇବାର ଫାଇଦା ସମ୍ପର୍କରେ ଜାଣିବା ।
ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ: ମଞ୍ଜା ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ସଠିକ୍ ହୋଇଥାଏ ଓ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏହା କିଡନୀ ଷ୍ଟୋନ୍କୁ ପ୍ରାକୃତିକ ଭାବରେ ବାହାର କରିବାରେ ମଧ୍ୟ ସହାୟକ ହୋଇଥାଏ । ଏହାର ସାହାଯ୍ୟରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ମଧ୍ୟ ଶରୀର ବାହାର କରିଦେଇଥାଏ ।
କୋଲେଷ୍ଟ୍ରୋଲ ଓ ରକ୍ତଚାପ ନିୟନ୍ତ୍ରଣ କରେ: ମଞ୍ଜାରେ ଭିଟାମିନ୍ ବି 6 ଭରପୂର । ଏଥିରେ ପୋଟାସିୟମ୍ ଏବଂ ଆଇରନ୍ ମଧ୍ୟ ଥାଏ । ଯାହା କୋଲେଷ୍ଟ୍ରୋଲ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହି ରସ ବହୁତ ଲାଭଦାୟକ । ଏଥିରେ ଥିବା ‘ପେକ୍ଟିନ୍’, ‘ଲିଗ୍ନିନ୍’ ଏବଂ ‘ପଲିଫେନୋଲ୍ସ’ ଶରୀରରେ ଗ୍ଲୁକୋଜ୍ର ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
ଅମ୍ଳତା ଓ ଗ୍ୟାସ୍ ସମସ୍ୟାକୁ ଦୂର କରେ: ଯଦି ଆପଣ ନିୟମିତ ଅମ୍ଳତା ସମସ୍ୟାରେ ପୀଡିତ ତେବେ ଆପଣ କଦଳୀ ମଞ୍ଜା ଖାଇବା ଉଚିତ୍ । ଯାହା ଶରୀରରେ ଏସିଡ୍ ପରିମାଣକୁ ନିୟନ୍ତ୍ରଣ କରିଥାଏ, ସନ୍ତୁଳନ ବଜାୟ ରଖେ । ଏହା ହୃଦଘାତ, ଅସ୍ୱାଭାବିକତା ଓ ପେଟ ଯନ୍ତ୍ରଣାକୁ ଭଲ କରିବାରେ ମଧ୍ୟ ବହୁତ ଉପଯୋଗୀ ।
ଓଜନ ହ୍ରାସ କରିବ: କଦଳୀ ମଞ୍ଜାରେ କ୍ୟାଲୋରି କମ୍ ଏବଂ ଫାଇବର୍ ଥିବାରୁ ଏହା ଖାଇବା ପରେ ପେଟ ଭରିଲା ଭଳି ଅନୁଭବ ହୋଇପାରେ । ଏହା ଅଧିକ ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିବାରେ ସହାୟତା କରିପାରେ । ଫଳରେ ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରିଦେଇଥାଏ ।
ଗଲବ୍ଲାଡରକୁ ସଫା କରେ: ଏହା ଗାଲ୍ ବ୍ଲାଡରକୁ ସଫା ରଖେ ଓ କିଡନୀରେ ଷ୍ଟୋନ୍ ହେବାକୁ ରୋକିଥାଏ । ତେଣୁ ଏହା ପିଲାଠାରୁ ବଡ଼ଙ୍କ ପର୍ଯ୍ୟନ୍ତ ଉପକାରୀ । ଯାହା ପରିସ୍ରାକୁ ସଫା ରଖି ଆମକୁ ସୁସ୍ଥ ଜୀବନ ପ୍ରଦାନ କରିଥାଏ ।