ନୂଆଦିଲ୍ଲୀ, ୧୨/୧୦ : ଆଜି ଦିଲ୍ଲୀରେ INDIA ମେଣ୍ଟର ମେଗା ପ୍ରତିବାଦ । ସୁପ୍ରିମକୋର୍ଟ ଅଭିମୁଖେ ମାର୍ଚ୍ଚ କରିବେ ବିରୋଧୀ । ଆଜି ପୁଣି ଦିଲ୍ଲୀରେ ବଡ଼ ଧରଣର ବିରୋଧୀ ପ୍ରତିବାଦ । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIRକୁ ନେଇ ଆଜି ରାଜଧାନୀରେ ମେଗା ପ୍ରତିବାଦ କରିବ INDIA ମେଣ୍ଟ। ବିରୋଧୀ ଦଳଗୁଡ଼ିକର ନେତାମାନେ ଏକାଠି ହୋଇ ସୁପ୍ରିମକୋର୍ଟ ଅଭିମୁଖେ ପ୍ରତିବାଦ ପଦଯାତ୍ରା କରିବାକୁ କାର୍ଯ୍ୟକ୍ରମ ରଖିଛନ୍ତି । ପ୍ରଧାନ ବିଚାରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବାକୁ ମଧ୍ୟ ଯୋଜନା ରହିଛି । ଏହି ପ୍ରତିବାଦରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ବରିଷ୍ଠ ନେତାମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଆନ୍ଦୋଳନ ପାଇଁ ମମତା ବାନାର୍ଜୀ ଦିଲ୍ଲୀରେ ନିଜର ରହଣି ବଢ଼ାଇଛନ୍ତି ।
ସେହିପରି ରାହୁଲ ଗାନ୍ଧୀ ମଧ୍ୟ ନିଜର ନିର୍ଦ୍ଧାରିତ ଗୋଆ ଗସ୍ତକୁ ସ୍ଥଗିତ ରଖିଛନ୍ତି। ବିରୋଧୀଙ୍କ ମୁଖ୍ୟ ଅଭିଯୋଗ ହେଉଛି, SIR ପ୍ରକ୍ରିୟାରେ ଭୋଟର ତାଲିକାରୁ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ୁଛି। ଏହାକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ‘ଭୋଟ୍ ଚୋରି’ ପ୍ରସଙ୍ଗ ସହ ଯୋଡ଼ିଛନ୍ତି । ତେବେ ନିର୍ବାଚନ କମିଶନ ଓ ସରକାର ଏଭଳି ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଏହା ପୂର୍ବରୁ ଶନିବାର ଦିଲ୍ଲୀର ଜନ୍ତରମନ୍ତରରେ CJPର ପ୍ରତିବାଦକୁ ନେଇ ବ୍ୟାପକ ପୋଲିସ କଟକଣା ଲାଗୁ ହୋଇଥିଲା । ଅନେକ ପ୍ରତିବାଦକାରୀଙ୍କୁ ଅଟକ ରଖାଯାଇଥିଲା । ମେଟ୍ରୋ ଷ୍ଟେସନ ବନ୍ଦ, ଟ୍ରେନ୍ ବାତିଲ ଓ ଇଣ୍ଟରନେଟ୍ ସେବା ଉପରେ କଟକଣା ଯୋଗୁଁ ସାଧାରଣ ଲୋକ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହି ଘଟଣାକୁ ନେଇ ରବିବାର ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ଶୁଣାଣି ହୋଇଥିଲା ।
ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି. ମୋହନାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ଲୋକଙ୍କୁ ବେଆଇନ ଭାବେ ଅଟକ ନରଖିବା, ମେଟ୍ରୋ ଓ ରେଳ ସେବା ସ୍ୱାଭାବିକ ରଖିବା ଏବଂ ଅତ୍ୟାବଶ୍ୟକ ନଥିଲେ ରାସ୍ତାରୁ ବ୍ୟାରିକେଡ୍ ହଟାଇବା ଉପରେ କୋର୍ଟ ଗୁରୁତ୍ୱ ଦେଇଥିଲେ । ରବିବାର ମଧ୍ୟ ଦିଲ୍ଲୀରେ ପ୍ରତିବାଦ ଜାରି ରହିଥିଲା। CJP ନେତା ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଅଟକରୁ ମୁକ୍ତ କରାଯାଇଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିବାକୁ ସଂଗଠନ ଘୋଷଣା କରିଛି । ଏହି ପରିସ୍ଥିତିରେ ଆଜି INDIA ମେଣ୍ଟର ପ୍ରତିବାଦକୁ ନେଇ ଦିଲ୍ଲୀର ରାଜନୈତିକ ଓ ପ୍ରଶାସନିକ ମହଲରେ ନଜର ରହିଛି। ସୁପ୍ରିମକୋର୍ଟ ଅଭିମୁଖେ ବିରୋଧୀଙ୍କ ପଦଯାତ୍ରାକୁ ପୋଲିସ ଅନୁମତି ଦେବ କି ନାହିଁ ଏବଂ ପ୍ରତିନିଧିମଣ୍ଡଳ ସ୍ମାରକପତ୍ର ଦେଇପାରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ ।