ଚେକ୍ ବାଉନ୍ସ ମାମଲାରେ ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ, ୧୫/୧୦ : ଚେକ୍ ବାଉନ୍ସ ମାମଲାରେ ଅଭିନେତା ରାଜପାଲ ଯାଦବଙ୍କୁ ଆଶ୍ୱସ୍ତି ମିଳିଛି । ଉଭୟ ପକ୍ଷଙ୍କୁ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଟ୍ରାଏଲ୍ କୋର୍ଟରେ ଜମା ଥିବା ରାଜପାଲଙ୍କ ପାସପୋର୍ଟ ଫେରାଇବାକୁ ମଧ୍ୟ କହିଛନ୍ତି ସର୍ବୋଚ୍ଚ ଅଦାଲତ ।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ଜୟମାଲ୍ୟ ବାଗଚୀଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ରାଜପାଲଙ୍କ ଓକିଲ ଅଦାଲତଙ୍କୁ ଜଣାଇଥିଲେ ଯେ ଅଭିନେତା ସୁପ୍ରିମକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଛନ୍ତି । ସେ କୋର୍ଟର ରେଜିଷ୍ଟ୍ରିରେ ୨ କୋଟି ଟଙ୍କା ଜମା କରିଛନ୍ତି । ଏଥିମଧ୍ୟରୁ ୧ କୋଟି ୧୫ ଲକ୍ଷ ଟଙ୍କା ଡିମାଣ୍ଡ ଡ୍ରାଫ୍ଟ ଏବଂ ୮୫ ଲକ୍ଷ ଟଙ୍କା RTGS ଜରିଆରେ ଜମା କରାଯାଇଛି । ଏହା ଉପରେ ସନ୍ତୋଷ ପ୍ରକାଶ କରି ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ କରିବାକୁ କହିଛନ୍ତି। ଏଥିପାଇଁ କୋର୍ଟ ଜଣେ ମଧ୍ୟସ୍ଥ ନିଯୁକ୍ତ କରିବେ । ଉଭୟ ପକ୍ଷ ନିର୍ଦ୍ଧାରିତ ତାରିଖରେ ତାଙ୍କ ନିକଟରେ ହାଜର ହେବେ। ରାଜପାଲଙ୍କ ବିରୋଧରେ ଚେକ୍ ବାଉନ୍ସ ମାମଲା ଦାଏର କରିଥିବା କମ୍ପାନୀ ମୁରଲୀ ପ୍ରୋଜେକ୍ଟସ୍ର ଓକିଲ ମଧ୍ୟ ଏଥିରେ ସହମତି ପ୍ରକାଶ କରିଛନ୍ତି । ରାଜପାଲଙ୍କ ଓକିଲ କହିଥିଲେ ଯେ ଅଭିନେତା ନିଜର ବୃତ୍ତିଗତ କାମ ପାଇଁ ବିଦେଶ ଯିବାକୁ ଚାହୁଁଛନ୍ତି । କିନ୍ତୁ ତାଙ୍କ ପାସପୋର୍ଟ ଟ୍ରାଏଲ୍ କୋର୍ଟରେ ଜବତ ହୋଇ ରହିଛି । ସୁପ୍ରିମକୋର୍ଟ ଉପଯୁକ୍ତ ସର୍ତ୍ତ ରଖି ରାଜପାଲଙ୍କ ପାସପୋର୍ଟ ଫେରାଇବାକୁ ଟ୍ରାଏଲ୍ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୧୦ ମସିହାରେ ରାଜପାଲ ଯାଦବ ନିଜ ଫିଲ୍ମ ‘ଅତା-ପତା ଲାପତା’ ନିର୍ମାଣ ପାଇଁ ଦିଲ୍ଲୀର କମ୍ପାନୀ ମୁରଲୀ ପ୍ରୋଜେକ୍ଟସ୍ଠାରୁ ପ୍ରାୟ ୫ କୋଟି ଟଙ୍କା ଋଣ ନେଇଥିଲେ । ଋଣ ପରିଶୋଧ ପାଇଁ ଦିଆଯାଇଥିବା ୭ଟି ଚେକ୍ ବାଉନ୍ସ ହେବା ପରେ କମ୍ପାନୀ ଅଦାଲତର ଦ୍ୱାରସ୍ଥ ହୋଇଥିଲା । ନିମ୍ନ ଅଦାଲତଙ୍କ ପରେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଏହି ମାମଲାରେ ରାଜପାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ୨୦୨୬ ଜୁଲାଇ ୧୦ ତାରିଖରେ ଦିଲ୍ଲୀ ହାଇକୋର୍ଟ ଚେକ୍ ବାଉନ୍ସର ପ୍ରତ୍ୟେକ ମାମଲା ପାଇଁ ଅଲଗା ଅଲଗା ୧ କୋଟି ୩୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ରାଜପାଲଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ତାଙ୍କୁ ୩ ମାସ ଜେଲ୍ ଦଣ୍ଡ ମଧ୍ୟ ଶୁଣାଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ରାଜପାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରେ ୨ କୋଟି ଟଙ୍କା ଜମା କରିବା ପରେ ତାଙ୍କୁ ଜେଲ୍ ଯିବାରୁ ଆଶ୍ୱସ୍ତି ମିଳିଛି । ଏହା ସହିତ ବିବାଦର ସମାଧାନ ପାଇଁ ମାମଲାକୁ ମଧ୍ୟସ୍ଥଙ୍କ ନିକଟକୁ ପଠାଯାଇଛି ।