ଭୁବନେଶ୍ୱର, ୨୮/୧୦ : ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ଇସ୍ରାଏଲର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୨୧ ଜଣିଆ ପ୍ରତିନିଧ ଦଳ କିଟ୍ ଓ କିସ୍ ପରିଦର୍ଶନରେ ଆସୁଛନ୍ତି । ନଭେମ୍ବର ୪ ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ପ୍ରତିନିଧିମଣ୍ଡଳୀ ଭାରତର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କିଟ୍ ଓ କିସ୍ ପରିଦର୍ଶନ କରିବେ। ପ୍ରତିବର୍ଷ ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ବିଶ୍ୱର ବିଭିନ୍ନ ଦେଶରୁ ୩ଶହରୁ ଊର୍ଦ୍ଧ୍ୱ ଶିକ୍ଷାବିତ୍, ବୈଦେଶିକ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକ ଭାରତ ପରିଭ୍ରମଣରେ ଆସିବା ସହ କିଟ୍ ଓ କିସ୍ ପରିଦର୍ଶନରେ ଆସିଥାନ୍ତି ।
ନଭେମ୍ବରରେ ଇସ୍ରାଏଲ୍ରୁ ୨୧ ଜଣିଆ ପ୍ରତିନିଧି କିଟ୍ ଓ କିସ୍ ପରିଦର୍ଶନରେ ଆସୁଛନ୍ତି। ସେମାନେ ପୂର୍ବରୁ କିଟ୍, କିସ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମାଜ ପ୍ରତି ସମର୍ପିତ ଜୀବନ ବିଷୟରେ ଜାଣିଥିଲେ। ଏବେ ଇସ୍ରାଏଲର ଯୁଦ୍ଧ ପରିସ୍ଥିତି ସତ୍ତ୍ୱେ ସେମାନେ ଏଠାକୁ ଆସିବାକୁ ମନସ୍ତ କରିଛନ୍ତି। ଏହି ଦଳରେ ୫୦ ଜଣ ପ୍ରତିନିଧି ଆସିବାର ଥିଲେ ମଧ୍ୟ ଯୁଦ୍ଧ ପରିସ୍ଥିତି ଯୋଗୁଁ ମାତ୍ର ୨୧ ଜଣ ଆସୁଛନ୍ତି। ଇସ୍ରାଏଲ ଏକ ସମୃଦ୍ଧ ଦେଶ। ଉନ୍ନତ ଅର୍ଥନୀତି ଓ ଏକ ଉଚ୍ଚ-ଆୟକାରୀ ଦେଶ ଭାବେ ଇସ୍ରାଏଲ୍ ବେଶ ଜଣାଶୁଣା। ଉଚ୍ଚ-ବୈଷୟିକ ଗବେଷଣା ଓ ବିକାଶ, ଚିକିତ୍ସା ଏବଂ କୃଷିରେ ବିଶ୍ୱ ସ୍ତରୀୟ “ଷ୍ଟାର୍ଟ ଅପ୍ ରାଷ୍ଟ୍ର’ ଭାବରେ ଇସ୍ରାଏଲ୍ର ଖ୍ୟାତି ରହିଛି।
ସାଧାରଣତଃ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଅନୁମତି କ୍ରମେ ଏମାନେ ଭାରତ ପରିଦର୍ଶନ କରିଥାନ୍ତି। ଏହା ସହ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏମାନଙ୍କ ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଥାନ୍ତି। ଏହି ୧୦ ଦିନିଆ କାର୍ଯ୍ୟକ୍ରମରେ ସେମାନେ ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଓ ଦର୍ଶନୀୟ ସ୍ଥାନ ମଧ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। କିଟ୍ ଓ କିସ୍ ପରିଦର୍ଶନ ସମୟରେ ସେମାନେ କିଟ୍ର ବିଭିନ୍ନ କ୍ୟାମ୍ପସ ବୁଲି ଦେଖିବା ସହ କିସ୍ର ବିଭିନ୍ନ ବିଭାଗ ବୁଲି ଦେଖିବେ। ଏଥିସହ କିଟ୍ ଓ କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଗୋଟିଏ ମାସ ମଧ୍ୟରେ ଇଣ୍ଡିଆ ଟ୍ରେକ୍ କାର୍ଯ୍ୟକ୍ରମରେ ଦୁଇ ଦୁଇଟି ଦେଶର ପ୍ରତିଷ୍ଠିତ ବ୍ୟକ୍ତିମାନେ କିଟ୍ ଓ କିସ୍ ପରିଦର୍ଶନରେ ଆସିବା ଗୌରବର ବିଷୟ।