ଭୁବନେଶ୍ୱର, ୨୯/୧୦ : ରାଜ୍ୟସଭା କ୍ରସ-ଭୋଟିଂ ମାମଲାରେ ଓଡ଼ିଶା ହାଇକୋର୍ଟ ୫ ଜଣ ବିଜେଡି ବିଧାୟକଙ୍କୁ ନୋଟିସ ଜାରି କରିଛନ୍ତି। ଏଥିସହ ସେମାନଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଜବାବ ଦାଖଲ କରିବାକୁ ପଡ଼ିବନୋଟିସ ପାଇଥିବା ବିଧାୟକମାନେ ହେଲେ ଅରବିନ୍ଦ ମହାପାତ୍ର, ସୁବାସିନୀ ଜେନା, ସନାତନ ମହାକୁଡ଼, ସୌଭିକ ବିଶ୍ୱାଳ ଏବଂ ଚକ୍ରମଣୀ କହଁର। ବିଧାୟକ ପଦ ରଦ୍ଦ ଦାବି ନେଇ ହୋଇଥିବା ଏକ ମାମଲାରେ ହାଇକୋର୍ଟ ଏହି ନୋଟିସ ଜାରି କରିଛନ୍ତି। ଏହି ବିଧାୟକମାନଙ୍କୁ ପ୍ରତି ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଜାନୁଆରୀ ୧୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ରାଜ୍ୟସଭା ନିର୍ବାଚନ ବେଳେ କ୍ରସ୍ ଭୋଟିଂ ପ୍ରସଙ୍ଗକୁ ନେଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଛି ବିଜେଡି । ବାଚସ୍ପତି ସୁରମା ପାଢ଼ୀଙ୍କୁ ପକ୍ଷଭୁକ୍ତ କରି ବିଜେଡି ପକ୍ଷରୁ ରିଟ୍ ପିଟିସନ ଦାଖଲ କରାଯାଇଥିଲା । ରାଜ୍ୟସଭା ନିର୍ବାଚନ ସମୟରେ ୮ ଜଣ ବିଜେଡି ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସେମାନଙ୍କ ବିଧାୟକ ପଦ ରଦ୍ଦ ପାଇଁ ବିଜେଡି ପୂର୍ବରୁ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଥିଲା । ତେବେ ଟେକ୍ନିକାଲ୍ ଗ୍ରାଉଣ୍ଡରେ ବାଚସ୍ପତି ପିଟିସନକୁ ଖାରଜ କରିଥିଲେ ।ବାଚସ୍ପତିଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିଥିଲା ବିଜେଡି ।