ନୂଆଦିଲ୍ଲୀ, ୧୩/୧୧ : ଏକ ଦ୍ରୁତଗାମୀ ଟ୍ରକ୍ ନିୟନ୍ତ୍ରଣ ହରାଇ ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରାୟ ୩୦ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଫୁଜୈରା ଏମିରେଟର ପ୍ରବେଶ ଦ୍ୱାର ନିକଟରେ ଏହି ଦୁର୍ଘଟଣା ଘଟିଛି । ସବୁଠାରୁ ଚିନ୍ତାଜନକ କଥା ହେଉଛି, ମୃତକଙ୍କ ମଧ୍ୟରେ ଅନେକ ଭାରତୀୟ ନାଗରିକ ଥିବା ସୂଚନା ମିଳିଛି । ଟ୍ରକର ଚାଳକ ହଠାତ୍ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ । ପ୍ରଥମେ ଟ୍ରକଟି ଅନ୍ୟ ଏକ ଗାଡ଼ିକୁ ଧକ୍କା ଦେଇଥିଲା । ପରେ ଭାରସାମ୍ୟ ହରାଇ ଓଲଟି ପଡ଼ିବା ସହ ଟ୍ରାଫିକ୍ ଜାମରେ ଅଟକି ରହିଥିବା ଅନେକ ଗାଡ଼ିକୁ ଧକ୍କା ଦେଇଥିଲା । ମଧ୍ୟରାତ୍ରି ପାଖାପାଖି ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଧକ୍କା ଏତେ ଭୟଙ୍କର ଥିଲା ଯେ, ଦୁର୍ଘଟଣା ପରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଅନ୍ୟ ଗାଡ଼ିଗୁଡ଼ିକୁ ମଧ୍ୟ ବ୍ୟାପି ଯାଇଥିଲା । ଫଳରେ ଅନେକ ଗାଡ଼ି ଜଳିଯିବା ସହ ବ୍ୟାପକ ଜୀବନହାନି ଘଟିଥିଲା । ଖବର ପାଇ ପୋଲିସ, ଆମ୍ବୁଲାନ୍ସ ଏବଂ ସିଭିଲ୍ ଡିଫେନ୍ସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଆହତଙ୍କ ମଧ୍ୟରୁ ପ୍ରାୟ ଅଧା ଚିକିତ୍ସା ପରେ ହସ୍ପିଟାଲରୁ ଫେରିଥିବାବେଳେ ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି ।
ଏହି ଦୁର୍ଘଟଣାରେ ଭାରତୀୟଙ୍କ ମୃତ୍ୟୁ ଖବର ଆସିବା ପରେ ଦୁବାଇସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ସକ୍ରିୟ ହୋଇଛି । ମୃତକଙ୍କ ପରିଚୟ ଚିହ୍ନଟ ପାଇଁ DNA ପରୀକ୍ଷା କରାଯାଇଛି । ଦୂତାବାସ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇଛି । ପ୍ରଭାବିତ ପରିବାରକୁ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ଭାରତୀୟ ଦୂତାବାସ ସ୍ଥାନୀୟ ପ୍ରଶାସନ ସହ ମିଶି କାମ କରୁଛି । କେବଳ ଭାରତୀୟ ନୁହନ୍ତି, ଏହି ଦୁର୍ଘଟଣାରେ ଅନ୍ୟ ଦେଶର ନାଗରିକ ମଧ୍ୟ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ UAE, ଓମାନ, ବ୍ରାଜିଲ, ପାକିସ୍ତାନ, ଜୋର୍ଡାନ ଏବଂ ଇଜିପ୍ଟର ନାଗରିକ ରହିଛନ୍ତି । ଆହତମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୋଷ୍ଟମର୍ଟମ ଓ ଆବଶ୍ୟକ ପ୍ରକ୍ରିୟା ଶେଷ ହେବା ପରେ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ।