ବିଦେଶରେ ମାଟି କାମୁଡ଼ିଲା ଭାରତ, ୨୪୪ ରନରେ ଜିତିଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ, ୧୩/୧୧ : ଆଜି ମାଉଣ୍ଡ ମାଉଁଗାନୁଈର ୱେ ଓବଲରେ ଆୟୋଜିତ ନ୍ୟୁଜିଲାଣ୍ଡ ବିପକ୍ଷ ଚତୁର୍ଥ ଦିନିକିଆ ମୁକାବିଲାରେ ଶତକ ଛୁଇଁ ପାରି ନାହିଁ ଭାରତ । ରୋହିତ ଓ ବିରାଟଙ୍କ ଭଳି ଦିଗ୍ଗଜ ଖେଳାଳି ମାନେ ମଧ୍ୟ ଖାତା ଖୋଲିବାରେ ଅସମର୍ଥ ହୋଇଛନ୍ତି । ମାତ୍ର ୮୯ ରନରେ ଅଲଆଉଟ୍ ହୋଇଛି ଭାରତ । ଶେଷରେ ୨୪୪ ରନର ବିଶାଳ ବ୍ୟବଧାନରେ ଚତୁର୍ଥ ଦିନିକିଆକୁ ନିଜ ନାମରେ କରିଛି ନ୍ୟୁଜିଲାଣ୍ଡ । ଭାରତ ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇ ନ୍ୟୁଜିଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରିତ କରିଥିଲେ । ନ୍ୟୁଜିଲାଣ୍ଡ ନିଜ ମାଟିରେ ଧୂଆଁଧାର ବ୍ୟାଟିଂ କରିଥିଲା । ସମ୍ପୂର୍ଣ୍ଣ ଓଭର୍ ଖେଳି ସମସ୍ତ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ୩୩୩ ରନ୍ କରି ଭାରତ ସମ୍ମୁଖରେ ୩୩୪ ରନ୍ ଟାର୍ଗେଟ୍ ଦେଇଥିଲା । ଦଳ ପକ୍ଷରୁ ୱିଲ୍ ୟଙ୍ଗ ୧୦୮ ବଲରେ ଶତକ ସହିତ ସର୍ବାଧିକ ୧୨୫ ରନ୍ କରିଥିଲେ । ନମନ ଧୀର ୱିଲଙ୍କ ୱିକେଟ୍ ନେଇ ତାଙ୍କୁ ପାଭିଲିୟନ ପଠାଇଥିଲେ । ସେହିପରି ଟିମ୍ ସୈଫର୍ଟ ୫୮ (୪୮), ଫିନ୍ ଆଲେନ୍ ୪୧ (୩୦), ସାଣ୍ଟନର୍ ୨୪ (୨୯) ପ୍ରମୁଖ ରନ୍ ଯୋଡ଼ି ଥିଲେ ।

ଭାରତ ପକ୍ଷରୁ ଆକ୍ୟୁବ୍ ନବି , ଗୁରନୁର ବ୍ରାର୍ ଓ ଅକ୍ସର୍ ପଟେଲ୍ ୨ଟି ଲେଖାଏଁ ୱିକେଟ୍ ନେଇଥିବାବେଲେ ଅର୍ଶଦୀପ ସିଂହ ଓ ନମନ ଧୀର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଏହା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଓଭରରେ ଭାରତ ଝୁଣ୍ଟିଥିଲା । ପ୍ରଥମ ଓଭରେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଅଧିନାୟକ ଶ୍ରେୟସ ଆୟର ଝଟକା ପରେ ଝଟକା ଦେଇଥିଲେ । କେହି ଖାତା ଖୋଲି ପାରିନଥିଲେ । ରୋହିତ ପ୍ରଥମ ବଲ, ବିରାଟ ଦ୍ୱିତୀୟ ବଲ୍ ଏବଂ ଅଧିନାୟକ ଶ୍ରେୟସ ମାତ୍ର ତିନୋଟି ବଲ୍ ଖେଳି ଆଉଟ୍ ହୋଇଥିଲେ । ରନ୍ ଅପେକ୍ଷା ୱିକେଟ୍ ପତନ ଅଧିକ ହୋଇଥିଲା । ଋତୁରାଜ ମଧ୍ୟ ୫ ରନ କରି ଆଉଟ୍ ହୋଇଥିଲେ । ଭାରତ ୧୦ ଓଭର୍ ସୁଦ୍ଧା ୪ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇଥିଲା । ଯାହା ଖେଳକୁ ଦୁର୍ବଳ କରିଦେଇଥିଲା ।

ଇଶାନ କିଶାନ କିଛିଟା ଆଶ୍ୱସ୍ତି ଦେଇଥିଲେ ମଧ୍ୟ ସେ କିଛି ଖାସ୍ କରିପାରିନଥିଲେ । ଇଶାନ ସର୍ବାଧିକ ୨୭ ରନ୍ କରିଥିବାବେଳେ ଅକ୍ସର ପଟେଲ୍ ୨୧, ନମନ ଧୀର ୨୧, ନବି ୫, କୁଲଦୀପ ୧ ଏବଂ ଗୁରନୂର ୨ ରନ୍ କରିଥିଲେ । ମାତ୍ର ୨୬.୪ ଓଭରରେ ଭାରତ ସମସ୍ତ ୱିକେଟ୍ ହରାଇ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ନ୍ୟୁଜିଲାଣ୍ଡ ୨୪୪ ରନ ବିଶାଳ ବ୍ୟବଧାନରେ ବିଜୟ ହାସଲ କରିଛି । ତେବେ ଏହାରି ସହିତ ଏହି ପାଞ୍ଚ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଓକଲାଣ୍ଡ୍ ଓ ୱିଲଙ୍ଗଟନରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତ ଜିତି ଥିବାବେଳେ ହ୍ୟାମିଲଟନ୍ ମ୍ୟାଚ୍ ବର୍ଷା ଯୋଗୁଁ ଡ୍ର ରହିଥିଲା । ଅନ୍ତିମ ମୁକାବିଲା ୧୫ ନଭେମ୍ବର (ରବିବାର)କୁ ଏହିଠାରେ ଖେଳାଯିବ ।