ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୭ ଯବାନ ଆହତ

ନୂଆଦିଲ୍ଲୀ, ୧୩/୧୧ : ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସେନା ଗାଡ଼ିଟିକୁ ତାଲିମ ନେଉଥିବା ଜଣେ ଯବାନ ଚଳାଉଥିବା ବେଳେ ନିୟନ୍ତ୍ରଣ ହରାଇବା ପରେ ଗାଡ଼ିଟି ଦୁଇଥର ଓଲଟି ପଡ଼ିବା ପରେ ରାସ୍ତାକଡ଼ର ଏକ ଗଛ ସହିତ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଏକାଧିକ ସେନା ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଆଜି ଭୋର ସମୟରେ ଚେଭେଲା ଅଞ୍ଚଳର ଆଲ୍ଲାୱାଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଗାଡ଼ିଟି ଗୋଲକୋଣ୍ଡା ସେନା ଶିବିରରୁ ଶାବାଦ ଅଞ୍ଚଳକୁ ଯବାନମାନଙ୍କୁ ନେଇ ତାଲିମ ପାଇଁ ଯାଉଥିଲା । ଗାଡ଼ିରେ ମୋଟ ୧୪ ଜଣ ସେନା କର୍ମଚାରୀ ଥିଲେ। ଆହତ ଯବାନମାନଙ୍କୁ ତୁରନ୍ତ ଗୋଲକୋଣ୍ଡାସ୍ଥିତ ସେନା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି । କେତେକ ଗଣମାଧ୍ୟମ ରିପୋର୍ଟରେ ୭ ଜଣ ଆହତ ଓ ଅନ୍ୟ କେତେକରେ ୮ ଜଣ ଆହତ ହୋଇଥିବା ଦର୍ଶାଯାଇଛି। ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବା ମଧ୍ୟ ଖବର ମିଳିଛି । ଦୁର୍ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।