ନୂଆଦିଲ୍ଲୀ, ୨୧/୧୧ : ମାତ୍ର ୭ ସପ୍ତାହର ଏକ କୁନି ହାତୀଛୁଆ ରାଜା, ଯିଏ ଦୁନିଆର ଆଲୋକ ଦେଖିବା ମାତ୍ରେ ହିଁ ଯନ୍ତ୍ରଣାର ପାହାଡ଼ ତଳେ ଚାପି ହୋଇଯାଇଥିଲା । ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏହି ନିରୀହ ଜୀବନ ପାଇଁ ଦେବଦୂତ ସାଜିଛନ୍ତି ଅନନ୍ତ ଅମ୍ବାନୀ । ଆସାମରୁ ଗୁଜରାଟର ବନତାରାକୁ ଏୟାରଲିଫ୍ଟ ହୋଇଛି କୁନି ହାତୀ ରାଜା । ଅନନ୍ତ ଅମ୍ବାନୀଙ୍କ ସହାୟତାରେ ଏବେ ହାତୀ ଛୁଆଟିର ଚିକିତ୍ସା ଏବଂ ଥଇଥାନ ହେବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କ ସ୍ୱପ୍ନର ପ୍ରକଳ୍ପ ହେଉଛି ବନତାରା । ବନତାରାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିବାନ କରନୀ ରାଜାର ସ୍ୱାସ୍ଥ୍ୟାବସ୍ଥା ବିଷୟରେ କହିଛନ୍ତି ଯେ, ରାଜା ଜନ୍ମ ହେବା ସମୟରେ ହିଁ ତାର ଗୋଡ଼ ଭାଙ୍ଗିଯାଇଥିଲା । ତଥାପି ତାର ବଞ୍ଚିବାର ଇଚ୍ଛାଶକ୍ତି କମିନଥିଲା । ଗତ ୭ ସପ୍ତାହ ଧରି ସେ ଅତ୍ୟନ୍ତ ସାହସର ସହ ପରିସ୍ଥିତିର ସାମ୍ନା କରିଛି । ଏବେ ତାକୁ ସାହାଯ୍ୟ କରିବାର ସମୟ ଆମର। ଅନନ୍ତ ଅମ୍ବାନୀଙ୍କ ସହଯୋଗରେ ଅନେକ ଦିନର ସଡ଼କ ଯାତ୍ରା ମାତ୍ର କିଛି ଘଣ୍ଟାରେ ଶେଷ ହୋଇପାରିବ । ବନତାରାରେ ତାକୁ ପୁଣି ଠିଆ ହେବା, ଚାଲିବା ଏବଂ ଭବିଷ୍ୟତରେ ଦୌଡ଼ିବା ପାଇଁ ସକ୍ଷମ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯିବ । ୨ ଅକ୍ଟୋବର ୨୦୨୬ରେ ରାଜାର ଜନ୍ମ । ଆସାମର ଗୋଗାମୁଖଠାରେ ସେ ଜନ୍ମ ହୋଇଥିଲା । ସେତେବେଳକୁ ତା ମାଆର ବୟସ ମାତ୍ର ୧୧ ବର୍ଷ ଥିଲା । ବୟସ କମ୍ ହେବା ସହିତ ପ୍ରଥମ ଥର ପାଇଁ ମାଆ ହୋଇଥିବାରୁ ତାର ଅଭିଜ୍ଞତା ମଧ୍ୟ ନଥିଲା । ଛୁଆକୁ ଜନ୍ମ ଦେବା ପରେ ସେ ଭୟଭୀତ ଓ ବିଚଳିତ ହୋଇପଡ଼ିଥିଲା । ଏହି ଅବସ୍ଥାରେ ସେ ନବଜାତ ହାତୀ ଛୁଆକୁ ଗୋଇଠା ମାରିଥିଲା । ଯାହାଫଳରେ ରାଜାର ପଛ ଡାହାଣ ଗୋଡ଼ର ଜଙ୍ଘରେ ଥିବା ବଡ଼ ହାଡ଼ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା । ଜନ୍ମର ପ୍ରଥମ ଦିନରୁ ହିଁ ତାକୁ ଏଭଳି ଗୁରୁତର ଆଘାତର ସାମ୍ନା କରିବାକୁ ପଡ଼ିଥିଲା ।