କୋଭିଡ୍-୧୯ ସଂକଟ ପରିଚାଳନା ଉପାୟକୁ ସମଗ୍ର ବିଶ୍ବ ମୋଦୀଙ୍କୁ ପ୍ରଶଂସା କରୁଛି : କେନ୍ଦ୍ର ଗୃହମନ୍ତ୍ରୀ

ନୂଆଦିଲ୍ଲୀ,୨୩/୪: ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୋଭିଡ୍-୧୯ ସଂକଟ ପରିଚାଳନା ଉପାୟକୁ ସମଗ୍ର ବିଶ୍ବ ପ୍ରଶଂସା କରୁଥିବା କଥା ଗୁରୁବାର ଦିନ ଟୁଇଟ୍ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି।

ଶାହା କହିଛନ୍ତି ଯେ ‘ସତ୍ୟ ସୁସ୍ପଷ୍ଟ’ ହୋଇଥିବାରୁ ସମଗ୍ର ବିଶ୍ବ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦେଶରେ କରେନାଭାଇରସ୍‌ର ସଂକ୍ରମଣ ଦମନ ନିମନ୍ତେ ତାଙ୍କର ମୁକାବିଲାକୁ ସମଗ୍ର ବିଶ୍ବ ପ୍ରଶଂସା କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ପ୍ରତ୍ୟେକ ଭାରତୀୟ ସୁରକ୍ଷିତ ମଣୁଛନ୍ତି ଏବଂ ମୋଦୀଙ୍କୁ ଭରସା କରୁଛନ୍ତି ବୋଲି ଶାହା କହିଛନ୍ତି।

ଟୁଇଟ୍‌ରେ ସେ ଲେଖିଛନ୍ତି: ସତ୍ୟ ସୁସ୍ପଷ୍ଟ ଅଟେ! ଯେ ଭଳି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ କୋଭିଡ୍-୧୯ ଜାଗତିକ ମହାମାରୀର ପରିଚାଳନା କରୁଛନ୍ତି, ଭାରତୀୟମାନଙ୍କର ତତ୍ତ୍ବ ନେଉଛନ୍ତି ଏବଂ ଏଭଳି କଠିନ ସମୟରେ ବିଶ୍ବ ସମ୍ପ୍ରଦାୟଙ୍କୁ ସାହାଯ୍ୟ କରୁଛନ୍ତି ତାହାକୁ ସମଗ୍ର ବିଶ୍ବ ପ୍ରଶଂସା କରୁଛି। ତାଙ୍କ ନେତୃତ୍ବରେ ପ୍ରତ୍ୟେକ ଭାରତୀୟ ସୁରକ୍ଷିତ ମଣୁଛନ୍ତି ଓ ତାଙ୍କ ନେତୃତ୍ବକୁ ଭରସା କରୁଛନ୍ତି।

ଏଠାରେ ସୂଚାଇ ଦିଆଯାଇପାରେ ଯେ ମାଇକ୍ରୋସଫ୍‌ଟ୍‌ର ସହ-ସଂସ୍ଥାପକ ବିଲ୍ ଗେଟ୍‌ସ୍ ଏବଂ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଘେବ୍ରେୟେସସ୍ କରୋନାଭାଇରସ୍ ମହାମାରୀ ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଭୂୟସୀ ପ୍ରଶଂସା କରିଛନ୍ତି। ଗୁରୁତ୍ବପୂର୍ଣ୍ଣ ଡାକ୍ତରୀ ସାମଗ୍ରୀ ପଠାଇ ବିଶ୍ବର ବିଭିନ୍ନ ଦେଶକୁ ସାହାଯ୍ୟ କରିଥିବାରୁ ସେମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି।