ନୂଆଦିଲ୍ଲୀ,୧୨ /୫ : ଭାରତରେ କରୋନା ଭାଇରସରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଁ ୭୦ ହଜାର ଅତିକ୍ରମ କରିଛି । ମହାରାଷ୍ଟ୍ର, ତାମିଲନାଡୁ ଓ ଗୁଜୁରାଟ ସମେତ ବିଭିନ୍ନ ସ୍ଥାନରେ କରୋନା ଭାଇରସ ମୃତକଙ୍କ ସଂଖ୍ୟା ୨୨ ଶହରୁ ଅଧିକ ହୋଇଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୋମବାର ସକାଳ ୮ଟାରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ୪ ହଜାର ୨୧୩ ମାମଲା ଓ ୯୭ ଜଣଙ୍କର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି । ଏଥି ସହିତ ସଂକ୍ରମଣର ମୋଟ ସଂଖ୍ୟା ୬୭ ହଜାର ୧୫୨ ଓ ମୃତକଙ୍କ ସଂଖ୍ୟା ୨ ହଜାର ୨୦୬ ହୋଇଛି ।
ଭାରତର ଅଲଗା ଅଲଗା ରାଜ୍ୟରେ ସୋମବାର କରୋନାର ୩ ହଜାର ୬୧୩ ମାମଲା ଆସିଛି । ଫଳରେ ଏହି ସଂଖ୍ୟା ୭୦ ହଜାର ୭୯୯ ହୋଇଛି । ଏଥିରୁ ୨୨ ହଜାର ୩୮୦ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ସେହିଭଳି ମହାମାରୀରେ ୨ ହଜାର ୨୯୦ ଜଣ ଲୋକଙ୍କର ଏପର୍ଯ୍ୟନ୍ତ ମୃତ୍ୟୁ ହୋଇଛି ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରେ ସୋମବାର ୧୨୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାଏଁ ୨୩ ହଜାର ୪୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪ ହଜାର ୭୮୬ ଜଣ ସୁସ୍ଥ ହୋଇଛନ୍ତି । ଏହି ରାଜ୍ୟରେ ମୃତକଙ୍କ ସଂଖ୍ୟା ୮୬୮ । ଗୁଜୁରାଟରେ ଚିହ୍ନଟ ୮୫୪୨ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ସୋମବାର ୩୪୭ ପଜିଟିଭ ବାହାରିଛନ୍ତି । ରାଜ୍ୟରେ ମୋଟ ୨ ହଜାର ୭୮୦ ସୁସ୍ଥ ହୋଇଥିବା ବେଳେ ୫୧୩ ଜଣଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁରେ ଚିହ୍ନଟ ଏଯାଏଁ ୨ ହଜାର ୫୧ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୫୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୮ ହଜାର ୨ ଜଣ ଆକ୍ରାନ୍ତ ଥିବା ବେଳେ କେବଳ ସୋମବାର ୭୯୮ ଜଣ ନୂଆଁ ରୋଗୀ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୨୩୩ । ସେଥିରୁ ୨ ହଜାର ୧୨୯ ଜଣ ସୁସ୍ଥ ହୋଇଥିବା ବେଳେ ୭୩ ଜଣଙ୍କ ମୃତ୍ୟୁ ହୋଇଛି । ସୋମବାର ୧୭୪ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।
ରାଜସ୍ଥାନରେ ସୋମବାର ୧୭୪ ଜଣ କରୋନା ପଜିଟିଭ ଚିହ୍ନଟ ହେବାରେ ସଂଖ୍ୟା ୩ ହଜାର ୯୮୮ରେ ପହଞ୍ଚିଛି । ଏଥିରୁ ୨ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ୧୧୩ ଜଣଙ୍କ ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶରେ ମୋଟ ୩ ହଜାର ୭୮୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧ ହଜାର ୭୪୯ ଜଣ ଭଲ ହୋଇଛନ୍ତି । ସେହିଭଳି ୨୨୧ ଜଣଙ୍କ ମୃତ୍ୟୁ ହୋଇଛି ।