ନୂଆଦିଲ୍ଲୀ, ୨୬।୫: ଭାରତୀୟ ଜନତା ପାର୍ଟି କରୋନା ଭାଇରସ୍ ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଦ୍ଵିତୀୟ କାର୍ଯ୍ୟକାଳର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ପୂରା ଦେଶରେ ଅଭିଯାନ ଚଲାଇବ। ମହାମାରୀକୁ ଦୃଷ୍ଟିରେ ରଖି ବିଜେପି ଏହି ଅଭିଯାନକୁ ଡିଜିଟାଲ ମାଧ୍ୟମରେ ହିଁ ଚଲାଇବ। ପାର୍ଟି କେନ୍ଦ୍ର ସରକାରଙ୍କ ଉପଲବ୍ଧି ଜନତାଙ୍କ ପାଖକୁ ପହଞ୍ଚାଇବା ଉଦ୍ଦେଶରେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବ। ଦଳ ପୂରା ଦେଶରେ ୭୫୦ ଭର୍ଚୁଆଲ ରାଲି କରିବ। ଏହା ସହିତ ରାଷ୍ଟ୍ରୀୟ ଓ ରାଜ୍ୟସ୍ତରରେ ପ୍ରାୟ ୧୦୦୦ ଭର୍ଚୁଆଲ ସମ୍ମିଳନୀର ଆୟୋଜନ କରିବାକୁ ଯୋଜନା ରହିଛି। ଏହି ଅବସରରେ ପାର୍ଟି ମାସ୍କ ଓ ସାନିଟାଇଜର ମଧ୍ୟ ବାଣ୍ଟିବ।
୧୦ କୋଟି ଘର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଂକଳ୍ପ ପତ୍ର ପହଞ୍ଚାଇବା ଲାଗି ମଧ୍ୟ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ ବିଭିନ୍ନ ମାଧ୍ୟମରେ ଗୋଟିଏ ବର୍ଷରେ ସରକାରଙ୍କ ଉପଲବ୍ଧି କଣ କଣ ରହିଛି ତାହା ଉଲ୍ଲେଖ କରାଯିବ। ଏଥିପାଇଁ ମିଡିଆ ଓ ସାମାଜିକ ଗଣମାଧ୍ୟମର ପ୍ଲାଟଫାର୍ମକୁ ଉପଯୋଗ କରାଯିବ। ସମସ୍ତ ମନ୍ତ୍ରାଳୟ ନିଜ ନିଜର ରିପୋର୍ଟ ସୂଚନା ପ୍ରସାରଣ ମନ୍ତ୍ରଣାଳୟକୁ ପ୍ରଦାନ କରିବେ। ଉଲ୍ଲେଖନୀୟ ଗତ ମେ ୩୦ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ପଦରେ ଶପଥ ନେଇଥିଲେ।
ସରକାରଙ୍କ ଉପଲବ୍ଧିକୁ ଏକ ବୁକ୍ଲେଟ୍ରେ ପ୍ରକାଶିତ କରାଯିବ। ଏଥିରେ ମନ୍ତ୍ରଣାଳୟର କାର୍ଯ୍ୟର ତଥ୍ୟ ଦିଆଯିବ। ଏହା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ଆଞ୍ଚଳିତ ଭାଷାରେ ମଧ୍ୟ ପ୍ରକାଶିତ କରାଯିବ। ଏହା ବ୍ୟତୀତ ପ୍ରତ୍ୟେକ ମନ୍ତ୍ରଣାଳୟ ଅଲଗା ଅଲଗା ନିଜ ନିଜର ଉପଲବ୍ଧି ବିଷୟରେ ତଥ୍ୟ ଦେବେ। ଖ ଛାପା ଗଣମାଧ୍ୟମ, ବୈଦ୍ୟୁତିକ ଗଣମାଧ୍ୟମ ଓ ଡିଜିଟାଲ ପ୍ଲାଟଫର୍ମରେ ସରକାରଙ୍କ ଉପଲବ୍ଧି ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଯିବ। ଏହି ସମସ୍ତ ପ୍ରକ୍ରିୟା ଲାଗି ଏକ ଖସଡା ପ୍ରସ୍ତୁତ କରାଯାଇଛି।