ନୂଆଦିଲ୍ଲୀ,୧୦/୬: ପାର୍ଲେ-ଜି ବିସ୍କୁଟ ବିକ୍ରିରେ ୮୦ ବର୍ଷର ରେକର୍ଡ ଭାଙ୍ଗିଛି। ଲକ୍ ଡାଉନ୍ ରେ ବଢ଼ିଛି ଏହି ବିସ୍କୁଟର ଚାହିଦା । ୧୯୩୮ ମସିହାରୁ ଏହା ଭାରତୀୟଙ୍କ ମନ ପସନ୍ଦର ବିସ୍କୁଟ ପାଲଟିଛି । ବିଗତ କିଛି ବର୍ଷ ଧରି ଏହାର ଚାହିଦା କମିଥିଲେ ମଧ୍ୟ ଚଳିତ ଲକ ଡାଉନ ସମୟରେ ପାର୍ଲେ-ଜି ନିଜର ୮୦ ବର୍ଷର ଇତିହାସରେ ସର୍ବଶ୍ରେଷ୍ଠ ସଫଳତା ପାଇଛି । ଗତ ମାର୍ଚ୍ଚ,ଏପ୍ରିଲ ଓ ମେ ମାସରେ ନିଜର ବଜାର ଭାଗକୁ ୫ ପ୍ରତିଶତ ବୃଦ୍ଧି କରିପାରିଛି । ଏହି ବୃଦ୍ଧିର ୮୦ ପ୍ରତିଶତ କେବଳ ପାର୍ଲେ-ଜି ବିସ୍କୁଟ ବିକ୍ରିରୁ ଆସିଛି ।
ଲକ ଡାଉନ ସମୟରେ ପାର୍ଲେ-ଜି ବିସ୍କୁଟର ଚାହିଦା ବଢିଯାଇଛି । ସାଧାରଣ ଲୋକେ ଏହାକୁ ଅଧିକ ପରିମାଣରେ କିଣୁଛନ୍ତି । ଲୋକମାନେ ଅର୍ଥ ସଂଚୟ କରିବାକୁ ଦାମୀ ବିସ୍କୁଟ ବଦଳରେ ଶସ୍ତା ବିସ୍କୁଟ କିଣିବାକୁ ପସନ୍ଦ କରିଥିଲେ । ନିଜ ନିଜ ଘରକୁ ଫେରୁଥିବା ପ୍ରବାସୀମାନେ ପାର୍ଲେ-ଜି ବିସ୍କୁଟ ଅଧିକ ପରିମାଣରେ କିଣିଥିଲେ । ସେହିପରି ଲୋକଙ୍କୁ ବଣ୍ଟନ କରିବାକୁ ସରକାର ଓ ଏନଜିଓମାନେ ମଧ୍ୟ ଏହି ବିସ୍କୁଟକୁ ଅଧିକ ପରିମାଣରେ କ୍ରୟ କରିଛନ୍ତି । ଏଣୁ ପାର୍ଲେ-ଜିର ବିକ୍ରି ବଢିଯାଇଛି ।
ପାର୍ଲେ କମ୍ପାନି ଏବେ ସାରା ଦେଶର ୧୩୦ଟି କାରଖାନାରେ ବିସ୍କୁଟ ଉତ୍ପାଦନ କରୁଛି । ଏହା ମଧ୍ୟରୁ ୧୨୦ଟି ଲାଇସେନ୍ସ ଭିତ୍ତିରେ ଚାଲୁଥିବାବେଳେ ୧୦ଟି କମ୍ପାନିର ନିଜସ୍ୱ କାରଖାନା ରହିଛି ।