ଅଭିନେତା ବିଜୟ ମହାନ୍ତି ଓଡ଼ିଶା ଫେରିବେ : ସମସ୍ତ ଦାୟିତ୍ବ ନେବେ ଅପରାଜିତା

ଭୁବନେଶ୍ୱର, ୧୦/୬: ଦିନେ କି ଦୁଇଦିନ ଭିତରେ ଓଡ଼ିଶା ଫେରିବେ ଅଭିନେତା ବିଜୟ ମହାନ୍ତି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ହେଉଥିବା ବିଜୟଙ୍କୁ ଭୁବନେଶ୍ୱର ଫେରାଇ ଆଣିବାର ସମସ୍ତ ଦାୟିତ୍ୱ ନେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ତାଙ୍କୁ ଆମ୍ବୁଲାନ୍ସରେ ହାଇଦ୍ରାବାଦରୁ ଅଣାଯାଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯିବ । ସେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେଲା ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ଅପରାଜିତା ବହନ କରିବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ତାଙ୍କ ପରିବାର ପକ୍ଷରୁ ଫୋନ୍‌ ଆସିଥିଲା । କଳାକାରମାନେ ବି ଯୋଗାଯୋଗ କରିଥିଲେ । ତାଙ୍କ ଦେହ ବହୁତ ଖରାପ ଅଛି । ତାଙ୍କର ଇଚ୍ଛା ହେଉଛି ସେ ବର୍ତ୍ତମାନ କେମିତି ଓଡ଼ିଶା ଆସିଥାନ୍ତେ । ସେଥିପାଇଁ ମୋ ସାଙ୍ଗରେ ପରିବାର ସଦସ୍ୟ ଆଲୋଚନା କରିଥିଲେ। ତାଙ୍କ ଝିଅଙ୍କ ସହିତ ବି କଥା ହୋଇଛି । ତା’ ପରେ ମୁଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ସହିତ କଥା ହେଲି । ସେମାନେ ସେମାନଙ୍କ ଅତ୍ୟାଧୁନିକ ବ୍ୟବସ୍ଥା ଥିବା ଆମ୍ବୁଲାନ୍ସରେ ବିଜୟ ମହାନ୍ତିଙ୍କୁ ଆଣିବାର ବ୍ୟବସ୍ଥା କରିବେ ।

ସେଥିରେ ଡାକ୍ତର ମଧ୍ୟ ରହିବେ । ତା’ର ଖର୍ଚ୍ଚ ମୁଁ ବହନ କରୁଛି । ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ହେଲେ ତାଙ୍କୁ ଅଣାଯିବ । ତାଙ୍କ ପରିବାର ଲୋକଙ୍କ ସହିତ ମୁଁ ଯୋଗାଯୋଗରେ ଅଛି । ସେ ଆସି ହସ୍ପିଟାଲ୍‌ରେ ଭର୍ତ୍ତି ହେଲା ପର୍ଯ୍ୟନ୍ତ ମୁଁ ସବୁ ଦାୟିତ୍ୱ ନେଇଛି । କଳାକାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କର ଏବଂ ଆମର କିଛି ଦାୟିତ୍ୱ ରହୁଛି । ସେ ଯେହେତୁ ଭୁବନେଶ୍ୱରର ଲୋକ ତେଣୁ ସାଂସଦ ହିସାବରେ ମୋର ବି ଦାୟିତ୍ୱ ରହିଛି । ସୂଚନାଯୋଗ୍ୟ ଗତ ମେ ୨୫ ତାରିଖରୁ ଅଭିନେତା ବିଜୟ ମହାନ୍ତି ହୃଦ୍‌ଘାତର ଶିକାର ହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଛନ୍ତି ।