ମୁଙ୍ଗେର, ୧୫/୧୦: ମୁଙ୍ଗେର ଜିଲ୍ଲାରେ ଜେଡିୟୁ ଆଶାୟୀଙ୍କ ସମର୍ଥନରେ ଜନସଭା କରିବାକୁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ହଠାତ୍ ହଇଚଇ ସୃଷ୍ଟି ହୋଇଥିଲା। ହେଲିକପ୍ଟର ଲ୍ୟାଣ୍ଡିଂ ସମୟରେ ପ୍ରବଳ ବେଗରେ ପବନ ବୋହିବାରୁ ସଭା ସ୍ଥଳରେ ହୋଇଥିବା ପେଣ୍ଡାଲ୍ ଉଡ଼ି ଯାଇଥିଲା। ସଭାସ୍ଥଳରେ ଥିବା ସୁରକ୍ଷାକର୍ମୀ ଏହି ସ୍ଥିତିରୁ ଅନେକ କଷ୍ଟରେ କାବୁ ପାଇଥିଲେ।
ପେଣ୍ଡାଲ୍ ପବନରେ ଉଡ଼ିବା ମାତ୍ରେ ସଭା ସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ପୋଲିସ୍ କର୍ମଚାରୀ ଯେକୌଣସି ମତେ ଏହି ପରିସ୍ଥିତିକୁ କାବୁ କରିଥିଲେ କିନ୍ତୁ ଉତ୍ତେଜନା ଅନେକ ସମୟ ପର୍ଯ୍ୟନ୍ତ ରହିଥିଲା। ପେଣ୍ଡାଲକୁ ଠିକଭାବେ ନ ବନ୍ଧାଯାଇଥିବାରୁ ଜୋର ପବନ ଯୋଗୁଁ ପେଣ୍ଡାଲ୍ ଉଡ଼ି ଯାଇଥିଲା।
୨୦୨୦ ବିହାର ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ବାଚନୀ ସଭା ଆରମ୍ଭ ହୋଇ ସାରିଛି। ବୁଧବାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୁଙ୍ଗେର ଜିଲ୍ଲାର ତାରାପୁର ବିଧାନସଭା ଆସନରୁ ଜେଡିୟୁ ଆଶାୟୀ ମେଓ୍ବାଲାଲ ଚୌଧୁରୀଙ୍କ ପକ୍ଷରେ ନିର୍ବାଚନୀ ଜନସଭା କରିବାକୁ ପହଞ୍ଚିଥିଲେ।