ଭାଷଣ ସାରି ହଠାତ ମଞ୍ଚରୁ ଡେଇଁ ପଡିଲେ ତେଜସ୍ୱି ଯାଦବ

ପାଟନା, ୨୫/୧୦ : ବିହାର ବିଧାନସଭା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ଅଛି। ବିଭିନ୍ନ ଦଳର ଷ୍ଟାର ପ୍ରଚାରକ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗୁଛନ୍ତି। ରାଷ୍ଟ୍ରୀୟ ଜନତା ଦଳର ଷ୍ଟାର ପ୍ରଚାରକ ତେଜସ୍ୱି ଯାଦବ ଗୋଟିଏ ଦିନରେ ୧୦ ରୁ ୧୨ ଜନସଭା କରୁଛନ୍ତି। ତେଜସ୍ୱିଙ୍କୁ ଅପାର ଜନସମର୍ଥନ ମଧ୍ୟ ମିଳୁଛି। ଅପରପକ୍ଷରେ ଭିଡ ଯୋଗୁଁ ତାଙ୍କୁ ନାନା ସମସ୍ୟାର ସମ୍ମୁଖୀନ ମଧ୍ୟ ହେବାକୁ ପଡୁଛି। ଶନିବାର ଦିନ ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଭାଷଣ ସାରିବା ପରେ ତେଜସ୍ୱି ଯାଦବ ମଞ୍ଚରୁ ଡେଇଁ ହେଲିକେପ୍ଟର ପାଖକୁ ଯିବାକୁ ପଡିଥିଲା।

ତେଜସ୍ୱିଙ୍କ ଏହି ସଭା ଅଥମଲଗୋଲା ଅଞ୍ଚଳର ଏକ ମଇଦାନରେ ଆୟୋଜିତ କରାଯାଇଥିଲା। ତେଜସ୍ୱି କଂଗ୍ରେସ ପ୍ରାର୍ଥୀ ସତ୍ୟେନ୍ଦ୍ର ବହାଦୁର ଓ ବକ୍ଷତିୟାର ରାଷ୍ଟ୍ରୀୟ ଜନତା ଦଳ ପ୍ରାର୍ଥୀ ଅନିରୁଦ୍ଧ ଯାଦବଙ୍କ ପାଇଁ ପ୍ରଚାର କରିବା ପାଇଁ ବିଳମ୍ବରେ ପହଞ୍ଚିଥିଲେ। ମଞ୍ଚରେ ପହଞ୍ଚିବା ପରେ ତେଜସ୍ୱି ନିଜ ହାତ ସାନିଟାଇଜ କଲେ ଓ ମାଇକରେ ଭାଷଣ ଦେଇଥିଲେ। ବିଳମ୍ବରେ ପହଂଚିଥିବାରୁ ସେ କହିଥିଲେ ଯେ ତାଙ୍କ ପାଖରେ ବେଶୀ ସମୟ ନାହିଁ ମାତ୍ର ୫ ମିନିଟ ସମୟ ଅଛି। ସେ ନିଜ ସମ୍ବୋଧନରେ ଶିକ୍ଷକଙ୍କ ନିୟୋଜନ, ବେକାର ସମସ୍ୟା ଓ ୧୦ ଲକ୍ଷ ଯୁବକଙ୍କୁ ରୋଜଗାର ଦେବା କଥା କହିଥିଲେ। ଏହାସହ ନୀତିଶ ସରକାରଙ୍କୁ ହଟାଇ ପରିବର୍ତ୍ତନ ଆଣିବାକୁ ଅପିଲ କରିଥିଲେ।

ଏହାସହ ପ୍ରାର୍ଥୀଙ୍କୁ ସେ ତରତର ହୋଇ ଫୁଲ ମାଳ ପିନ୍ଧାଇଥିଲେ। ତାପରେ ତେଜସ୍ୱି ମଞ୍ଚ ତଳେ ଛିଡା ହୋଇଥିବା ପୋଲିସକର୍ମୀଙ୍କୁ ପଛକୁ ହଟିବାକୁ କହିଥିଲେ। ଲୋକେ ଭାବିଲେ ତେଜସ୍ୱି ଯାଦବଙ୍କୁ ବଡ ଫୁଲ ମାଳ ପିନ୍ଧାଯିବ। କିନ୍ତୁ ପୋଲିସକର୍ମୀ ପଛକୁ ହଟିବା ପରେ ତେଜସ୍ୱି ମଞ୍ଚରୁ ତଳକୁ ଡେଇଁ ପଡ଼ିଥିଲେ।

ସେ ମଞ୍ଚରୁ ଡେଇଁବା ପରେ ସେଠାରେ ହଇଚଇ ସୃଷ୍ଟି ହୋଇଥିଲା। ମଞ୍ଚରେ ଉପସ୍ଥିତ ସମସ୍ତ ଲୋକ ଡେଇଁବା ଆରମ୍ଭ କରିଥିଲେ। ପ୍ରାର୍ଥୀ ମଧ୍ୟ ମଞ୍ଚରୁ ଡେଇଁ ପଡ଼ିଥିଲେ। ଲୋକେ କିଛି ବୁଝିବା ପୂର୍ବରୁ ତେଜସ୍ୱି ହେଲିକେପ୍ଟର ପାଖରେ ପହଞ୍ଚି ସାରିଥିଲେ ଓ ଲୋକଙ୍କୁ ହାତ ହଲାଇ ଭିତରେ ବସି ପଡ଼ିଥିଲେ। ତେଜସ୍ୱି ଯାଦବ ସେଠାରୁ ଯିବାପରେ ମଞ୍ଚରେ ଲାଗିଥିବା ଡିଜେରେ ଗୀତ ଲଗାଇ ସମର୍ଥକମାନେ ଧୁମ୍ ନାଚିଥିଲେ।