କାଠମାଣ୍ଡୁ : ନେପାଳ ବନ୍ୟାର ଭୟାବହତା ବିଶ୍ବବାସୀଙ୍କ ହୃଦୟକୁ ଥରାଇ ଦେଇଛି। ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ନଦୀ ଅବବାହିକାର ଦୁଇ ପାର୍ଶ୍ବରେ ଘର କରିଥିବା ଅନେକ ଲୋକ ପ୍ରକୃତି କୋପରେ ଭାସି ଯାଇ ନିଖୋଜ ଅଛନ୍ତି। ପ୍ରକୃତିର ଏହି ରୌଦ୍ର ରୂପକୁ ଯିଏ ଦେଖୁଛି, ସିଏ ଭୟରେ ଥରି ଯାଉଛି। ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଯବାନ ମାଟି ତଳୁ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରୁଛନ୍ତି। ଅବଶେଷ ତଳୁ ଜୀବନ ଖୋଜା ଚାଲିିଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ି ବଢ଼ି ଚାଲିଛି। ଶନିବାର ରାତି ସୁଦ୍ଧା ୬୮୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୨୮୭ ଭାରତୀୟଙ୍କ ସମେତ ୩ ହଜାରରୁ ଊର୍ଦ୍ଧ୍ବ ନିଖୋଜ ଅଛନ୍ତି। ୪୪୫୧ ଜଣଙ୍କୁ ଉଦ୍ଧାର କରାଯାଇଛି। ସେହିପରି ତିବ୍ବତରେ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଥିବାବେଳେ ୫୫୪ ନିଖୋଜ ଅଛନ୍ତି। ଅଧିକାଂଶ ଅଞ୍ଚଳକୁ ସୁରକ୍ଷାବାହିନୀ ପହଞ୍ଚି ପାରି ନ ଥିବାରୁ ମୃତ୍ୟୁସଂଖ୍ୟା ଅଧିକ ବୃଦ୍ଧି ପାଇବାର ଆଶଙ୍କା ରହିଛି। ମୃତ୍ୟୁସଂଖ୍ୟା ବଢୁଥିବାବେଳେ ମୃତଦେହ ଚିହ୍ନଟ ନ ହେବା ସବୁଠୁ ବଡ଼ ସମସ୍ୟା ପାଲଟି ଯାଇଛି। ଶବଗୃହରେ ଶବ ସଢୁ ଥିବାବେଳେ ପରିଚୟ ମିଳୁନାହିଁ। ନିଜ ସମ୍ପର୍କୀୟଙ୍କୁ ଖୋଜିବା ପାଇଁ ଶବଗୃହ ଆଗରେ ଲୋକେ ଭିଡ଼ ଜମାଇଛନ୍ତି। ଏହା ସତ୍ତ୍ବେ ବି ଅଧିକାଂଶ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଏହା ସରକାରଙ୍କ ମୁଣ୍ଡବିନ୍ଧା ସୃଷ୍ଟି କରିଛି। ମୃତଦେହ ରଖିବାକୁ ସ୍ଥାନାଭାବ ହୋଇଥିବାରୁ ସରକାର ଅସ୍ଥାୟୀ କେନ୍ଦ୍ର ନିର୍ମାଣ କରିଛନ୍ତି। ଏଭଳି ସ୍ଥିତିରେ ଅନ୍ତିମ ସଂସ୍କାର କରିବା ପୂର୍ବରୁ ମୃତକଙ୍କ ଡିଏନଏସଂରକ୍ଷିତ ରଖିବା ପାଇଁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ମୃତକଙ୍କୁ ଚିହ୍ନଟ କରିବାରେ ସହାୟକ ହେବ ବୋଲି ସରକାର କହିଛନ୍ତି। ସେ ପଟେ ଡିଏନଏ ଚିହ୍ନଟରେ ସହାୟତା କରିବା ପାଇଁ ଭାରତ ଏକ ୬ ଜଣିଆ ଫରେନସିକ ଟିମକୁ ନେପାଳ ପଠାଇଛି।
ବନ୍ୟା ସିନା ଛାଡ଼ି ଯାଇଛି, ହେଲେ ଏବେ ନେପାଳରେ ନୂଆ ସଙ୍କଟ ସୃଷ୍ଟି ହୋଇଛିି। ଲୋକଙ୍କୁ ଜରୁରୀ ଔଷଧ ମିଳୁନାହିଁ। ମଧୁମେହ, ଉଚ୍ଚ ରକ୍ତଚାପ, ଥାଇରଏଡ ଔଷଧର ଘୋର ଅଭାବ ଦେଖାଯାଇଛି। ପାନୀୟ ଜଳ ସଙ୍କଟ ମଧ୍ୟ ସୃଷ୍ଟି ହୋଇଛି। ଶୋଷିଲା ତଣ୍ଟିକୁ ସ୍ବଚ୍ଛ ଜଳ ଟିକେ ବି ପିଇବାକୁ ମିଳୁନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଚଢ଼ା ଦରରେ ପାଣି ବୋତଲ ବିକ୍ରି କରୁଛନ୍ତି। ହେଲେ ଏହା କିଣିବାକୁ ପୀଡ଼ିତଙ୍କ ପାଖରେ ଅର୍ଥ ନାହିଁ। ପିନ୍ଧିବାକୁ ପୋଷାକ ନାହିଁ। ଚାରି ଦିନ ହେଲା ସେହି ଗୋଟିଏ ପୋଷାକ ପିନ୍ଧି ରହିଛନ୍ତି। ଇନ୍ଧନ ତ ଦୂରର କଥା ଖାଦ୍ୟାଭାବ ସ୍ଥିତିକୁ ଅଧିକ ବିଗାଡ଼ି ଦେଇଛି। ରୋଷେଇ ପାଇଁ ବି ଗ୍ୟାସ ମିଳିପାରୁ ନାହିଁ। ଆମ୍ବୁଲାନ୍ସ ଥାଇ ବି ଅଚଳ ରହିଛି। କାରଣ ଏହାକୁ ଚଲାଇବା ପାଇଁ ଡିଜେଲ ନାହିଁ। ନେପାଳ ସରକାରଙ୍କ ପକ୍ଷରୁ ଚଲା ଯାଉଥିବା ଆଶ୍ରୟ ସ୍ଥଳରେ ମଧ୍ୟ ସମାନ ସ୍ଥିତି ରହିଛି। ଏଠାରେ ମୌଳିକ ସୁବିଧା ବି ଟିକେ ମିଳୁ ନାହିଁ। ବିଦେଶୀ ସହାୟତାକୁ ପ୍ରଥମେ ନା ନା ଓ ପରେ ହଁ ହଁ କହି ଭାରତ, ଚୀନ, ଅଷ୍ଟ୍ରେଲିଆ ଭଳି କିଛି ଦେଶଙ୍କ ସହାୟତା ନେଇଥିବା ନେପାଳ ସ୍ଥିତି ଆଗରେ ହାରି ଯାଇଥିବା ପରି ଲାଗୁଛି। ନିଜକୁ ସକ୍ଷମ ଦେଖାଇବା ପାଇଁ ଚାହୁଁଥିବା ବାଲେନ ଶାହାଙ୍କ ସରକାର ପୀଡ଼ିତଙ୍କ ଜରୁରୀ ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଛନ୍ତି। ଆଶ୍ରୟ ସ୍ଥଳକୁ ସଫାସୁତୁରା କରାଯାଉ ନ ଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଏହା ଫଳରେ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ରହିଛି।
ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦ୍ବିତୀୟ ହ୍ରଦର ପାଣି ଅସ୍ଥିର ରହିଛି। ଏହି ବନ୍ଧ ଭାଙ୍ଗିଲେ ପୁଣି ବଡ଼ ବନ୍ୟା ଆସିପାରେ ବୋଲି ବୈଜ୍ଞାନିକ ଜେଫ୍ରି କାର୍ଗେଲ କହିଛନ୍ତି। ଏହା ପୂର୍ବରୁ ଶୁକ୍ରବାର ପ୍ରଥମ ହ୍ରଦଟି ଭାଙ୍ଗି ଯାଇଥିଲା। ତେବେ ସେଥିରୁ ଧୀରେ ଧୀରେ ପାଣି ତଳକୁ ଆସୁଥିବାରୁ ସେତେ ବିପଦ ନ ଥିଲା। ମାତ୍ର ଦ୍ବିତୀୟଟି ଭାଙ୍ଗିଗଲେ ପ୍ରଥମ ସହ ଏହା ମିଶି ପୁଣି ବଡ଼ ବିପର୍ଯ୍ୟୟ ଆଣିପାରେ ବୋଲି କୁହାଯାଉଛି।