ମାଳିସାହିରେ କବାଡିଆଙ୍କ ବେଧଡକ ବାୟୁ ପ୍ରଦୂଷଣ, ଦିନରାତି ଜଳୁଛି ବର୍ଜ୍ୟବସ୍ତୁ : ପ୍ରଶାସନ ନିଷ୍କ୍ରିୟ

ଭୁବନେଶ୍ୱର, ୬ /୧୧- (ପ୍ରଦୀପ୍ତ କୁମାର ଦାସ) : ଦିନେ ନୁହେଁକି ବର୍ଷେ ନୁହେଁ.ଦୀର୍ଘ ପ୍ରାୟ କୋଡିଏ ବର୍ଷ ହେଲା ଅବାଧରେ ଚାଲିଛି ଏପରି ସାଙ୍ଘାତିକ ବେଆଇନ କାରବାର ରାଜଧାନୀର ଛାତି ଉପରେ । ଭୁବନେଶ୍ୱର ସ୍ମାର୍ଟ ସିଟିର କେନ୍ଦ୍ରସ୍ଥଳ ଖାରବେଳ ନଗର ମାଳିସାହି ଅଂଚଳରେ ଦିନରାତି ଚାଲିଛି ଏହି ମନୁଷ୍ୟକୃତ ବାୟୁ ପ୍ରଦୂଷଣ । ଏହି କାରନାମାରେ ଲିପ୍ତ ଅସାଧୁ କବାଡିଆମାନେ ସହର ମଧ୍ୟରୁ ସଂଗ୍ରହ କରୁଥିବା ବିଭିନ୍ନ ପ୍ରକାରର ନଷ୍ଟ ବର୍ଜ୍ୟବସ୍ତୁକୁ ନିୟମିତ ଭାବେ ସେଠାରେ ନିଆଁ ଲଗାଇ ପୋଡିବା ଫଳରେ ଏଥିରୁ ନିର୍ଗତ ବିଷାକ୍ତ ଧୂଆଁ ଚତୁର୍ପାର୍ଶ୍ୱକୁ ବ୍ୟାପି ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି । ହେଲେ ଏ ବାବଦରେ ସ୍ଥାନୀୟ ପ୍ରଶାସନ ପାଖରେ କିଛି ଖବର ନାହିଁ । ତେବେ ଏନେଇ ବିଏମସି,କମିସନରେଟ ପୋଲିସ,ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ,ଜିଲ୍ଲା ପ୍ରଶାସନ,ଭୁବନେଶ୍ୱର ସ୍ମାର୍ଟ ସିଟି,ସହର ସ୍ୱାସ୍ଥ୍ୟ ଅଧିକାରୀ ଓ ଜନସ୍ୱାସ୍ଥ୍ୟ ବିଭାଗ ସର୍ବୋପରି ରାଜ୍ୟ ନଗର ଉର୍ନୟନ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ଉଦାସୀନ ରହିବା ଘଟଣା ସହରବାସୀଙ୍କୁ ବେଶ ଚକିତ କରିଛି।

ତେବେ ଏବର କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ଖୋଦ ଭୁବନେଶ୍ୱର ସ୍ମାର୍ଟ ସିଟି ଛାତିରେ ଏଭଳି ମନୁଷ୍ୟକୃତ ଅବାଧ ବାୟୁ ପ୍ରଦୂଷଣ ହେବା ଘଟଣା ଯୋଗୁଁ ନିୟମିତ ପରିବେଶ ତଥା ଚତୁର୍ପାଶ୍ୱ ବାୟୁମଣ୍ଡଳ ଦୂଷିତ ହେଉଛି । ଏହା କରୋନା ସଂକ୍ରମଣକୁ ବୃଦ୍ଧି କରିବାରେ ଅଧିକ ସହାୟକ ହେବ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏଭଳି ବାୟୁ ପ୍ରଦୂଷଣର କୁପ୍ରଭାବରେ ଲୋକେ ଶ୍ୱାସ ଜନିତ ରୋଗରେ ପୀଡିତ ହୋଇ ସ୍ୱାସ୍ଥ୍ୟହାନୀ ସମସ୍ୟାର ଶିକାର ହେଉଛନ୍ତି। ମାତ୍ର ଦୀର୍ଘ ବର୍ଷ ଧରି ଏଭଳି ବେଆଇନ ଘାତକ କାରନାମା ଚଳାଇ ଆସୁଥବା ଅପରାଧୀ ମାନଙ୍କୁ ଜବତ କରିବା ଦିଗରେ ସ୍ଥାନୀୟ ପ୍ରଶାସନ ନିଷ୍କ୍ରିୟ ରହିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାର ସ୍ଥାୟୀ ପ୍ରତିକାର ଦିଗରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନଗ୍ରହଣ ଦିଗରେ ଉପରୋକ୍ତ ବିଭାଗଗୁଡିକ ସଠିକ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହା ଦିନକୁ ଦିନ ଆହୁରି ବଢ଼ି ବଢ଼ି ଚାଲିଛି । ତେବେ ଏହାକୁ ରୋକିବା କ୍ଷେତ୍ରରେ ପ୍ରମୁଖ ଦାଇତ୍ୱରେ ଥିବା ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀଙ୍କୁ ଏନେଇ ପଚାରିବାରୁ ସେ ଏହାକୁ ରାଜ୍ୟ ପ୍ରଦୂଷଣ ବୋର୍ଡ କରିବ ବୋଲି କହିଥିଲେ। ସେହିପରି ଏସମ୍ପର୍କରେ ଭୁବନେଶ୍ୱର ସବ କଲେକ୍ଟର ଦେବବ୍ରତ ସାହୁଙ୍କୁ ପଚାରିବାରୁ ଆମେ ଏହାର ପ୍ରତିକାର ପାଈଁ ପଦକ୍ଷେପ ଗ୍ରହଣ କରିବୁ ବୋଲି କହିଥିଲେ । ତେବେ ଏହି ମର୍ମରେ ଏହାର ପ୍ରତ୍ୟକ୍ଷ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ରାଜ୍ୟ ପ୍ରଦୂଷଣ ବୋର୍ଡର ଆଞ୍ଚଳିକ ଅଧିକାରୀ ବିନୋଦ ବିହାରୀ ଦାସଙ୍କୁ ପଚାରିବାରୁ ହଁ ସେହି ଅଂଚଳରେ ଥିବା ଓୟାର ହାଉସରେ ନିଆଁଲଗାଯାଇ ବାୟୁ ପ୍ରଦୂଷଣ କରାଯାଉଥିବା ଆମ ନିକଟରେ ଅଭିଯୋଗ ଅଛି ବୋଲି କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ।