ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା, ସାଇଣ୍ଟିଫିକ ଟିମ୍‌ ଓ ଡଗସ୍କ୍ୱାଡ୍‌ର ତଦନ୍ତ ଜାରି

ବଲାଙ୍ଗୀର,୧୧ /୧୧: ଗୋଟିଏ ପରିବାରର ଛଅ ଜଣଙ୍କୁ ହତ୍ୟା। ଗଇଁତିରେ ନିର୍ମମ ଭାବରେ ଚୋଟ ପରେ ଚୋଟ ମାରି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ବୁଲୁ ଜାନୀ(୫୦ବର୍ଷ), ତାଙ୍କ ସ୍ତ୍ରୀ ଜ୍ୟୋତି(୪୮ବର୍ଷ) ଓ ଦୁଇପୁଅ ଭୀଷ୍ମ ଜାନୀ(୫ବର୍ଷ) ଓ ସଂଜୀବ ଜାନୀ(୨ବର୍ଷ), ଦୁଇ ଝିଅ ସରିତା ଜାନୀ(୧୪ବର୍ଷ), ଶ୍ରୀୟା ଜାନୀ(୩ବର୍ଷ)। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ନିକଟ ସଅଁରାପଡ଼ା କୁସୁମତଲଠାରେ ଘଟିଥିବା ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି। ବଲାଙ୍ଗୀର ଜିଲ୍ଲା ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଜାରି ରଖିଛି। ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ ଘଟଣାସ୍ଥଳରେ ନିଜେ ଉପସ୍ଥିତ ରହି ଛାନଭିନ କରୁଛନ୍ତି। ଏସ୍‌ପିଙ୍କ କହିବାନୁସାରେ, ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ। ହତ୍ୟାକାରୀଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ସେ କହିଛନ୍ତି। ଘଟଣାଟି ମଙ୍ଗଳବାର ବିଳମ୍ବିତ ରାତିର ବୋଲି ଜଣାପଡ଼ିଛି।