ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଅଧୀନରେ ସବୁ ବର୍ଗର ଲୋକଙ୍କ ପାଇଁ ଦୀପାବଳି ଉପହାର : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୨/୧୧: ଦେଶରେ ଅର୍ଥନୀତିକୁ ସୁଦୃଢ଼ କରିବା, ଚାହିଦା ବଢ଼ାଇବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ତଥା ଚାପଗ୍ରସ୍ତ କ୍ଷେତ୍ର, ଚାଷୀ, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗଙ୍କୁ ସହାୟତା କରିବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ୨.୬୫ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ଘୋଷଣା କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨.୬୫ ଲକ୍ଷ କୋଟିର ପ୍ୟାକେଜ ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଦୀପାବଳିର ଉପହାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର କୋଭିଡ୍‍-୧୯ ଦ୍ୱାରା ପ୍ରଭାବିତ ହୋଇଥିବା ଦେଶର ସବୁ କ୍ଷେତ୍ର ପ୍ରତି ଦୃଷ୍ଟି ତଥା ସେମାନଙ୍କ ଆବଶ୍ୟକତାକୁ ଧ୍ୟାନ ଦେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଜି ଘୋଷଣା କରାଯାଇଥିବା ୧୨ଟି ପଦକ୍ଷେପ ସମାଜର ସବୁ ବର୍ଗର ଲୋକମାନଙ୍କୁ ଲାଭ ଦେବା ସହ ଦେଶରେ ଅଧିକ ନିଯୁକ୍ତି ସୃଷ୍ଟି ଓ ଚାହିଦା ବୃଦ୍ଧି କରିବ ଏବଂ ବିକାଶକୁ ଗତି ଦେବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି କୋଭିଡ୍‍-୧୯ର ପୁନଃଉଦ୍ଧାର ପର୍ଯ୍ୟାୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ମାଧ୍ୟମରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏବଂ ନୂତନ ଯୋଗ୍ୟ କର୍ମଚାରୀଙ୍କ ପାଇଁ ୨ ବର୍ଷ ପର୍ଯ୍ୟନ୍ତ ଇପିଏଫ୍‍ ଭରଣା ଭଳି ପଦକ୍ଷେପ ମୋଦି ସରକାରଙ୍କ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି। ଏମଏସଏମଇ, ବ୍ୟବସାୟ, ମୁଦ୍ରା ଋଣଦାତା ତଥା ବ୍ୟବସାୟ କରିବା ନିମନ୍ତେ ବ୍ୟକ୍ତିଗତ ଋଣ ପାଇଁ ଏମରଜେନ୍ସିଂ କ୍ରେଡ଼ିଟ୍‍ ଲାଇନ୍‍ ଗ୍ୟାରେଣ୍ଟି ସ୍କିମର ସମ୍ପ୍ରସାରଣ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କରାଯିବା ଚାପଗ୍ରସ୍ତ କ୍ଷେତ୍ରକୁ ସହଯୋଗ ଦେବ ଏବଂ ୱେଲଥ୍‍ କ୍ରିଏଟର୍ସଙ୍କମାନଙ୍କ ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।