କାଳିଆ ଯୋଜନାରେ ୧ ଲକ୍ଷରୁ ଅଧିକ ଅଯୋଗ୍ୟ ହିତାଧିକାରୀ

ଭୁବନେଶ୍ବର,୨୪ /୨ : କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ୪ହଜାର ୭୬ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହି ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୫୬ଲକ୍ଷ ୧୪ହଜାର ୭୦୬ ବୋଲି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ କୁମାର ସାହୁ। ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାହୁ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଯେ କାଳିଆ ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନ ପାଇଁ କୃଷି ବିଭାଗ ଦ୍ୱାରା ପ୍ରାଥମିକ ସ୍ତରରେ ଡିବିଟି ତାଲିକା ଓ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ପ୍ରଦତ୍ତ ତାଲିକା ବ୍ୟବହାର ହୋଇଥିଲା । ଯେଉଁ ମାନଙ୍କର ଆଧାର ଓ ବ୍ୟାଙ୍କ ତଥ୍ୟ ଉପଳବ୍ଧ ଥିଲା ତାହାର ଏକ ତାଲିକା ପଞ୍ଚାୟତ ସ୍ତରରେ ପ୍ରଦର୍ଶିତ କରାଯାଇଥିଲା। ଅଯୋଗ୍ୟ ବ୍ୟକ୍ତି ବିଶେଷଙ୍କ ପାଇଁ ଆପତ୍ତି ଅଭିଯୋଗ ଓ ସ୍ୱତଃ ପ୍ରବୃତ୍ତ ବାଦ୍‍ ଦେବାପାଇଁ ଲାଲ ରଙ୍ଗ ଫର୍ମରେ ଦରଖାସ୍ତ ଗ୍ରହଣ କରାଯିବା ସଂଗେ ସଂଗେ ସେମାନଙ୍କୁ ବାଦ୍‍ ଦେବାପାଇଁ ପଞ୍ଚାୟତ ନୋଡାଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କାଳିଆ ଯୋଜନାରୁ ବାଦ୍‍ ପଡ଼ିଥିବା ଚାଷୀମାନଙ୍କୁ ସାମିଲ ନିମେନ୍ତ ଅନ୍‍ଲାଇନ୍‍ ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିବା ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।