ଆଜି କୃଷିର ମହାପର୍ବ ଅକ୍ଷୟ ତୃତୀୟା

କୃଷିର ମହାପର୍ବ ଅକ୍ଷୟ ତୃତୀୟା ଆଜି ସାରା ଦେଶରେ ପାଳିତ ହେବ। ଚଳିତବର୍ଷ ଖାସ ଯୋଗରେ ଏହି ତିଥି ପଡୁଥିବାରୁ ସବୁ ମହଲରେ ଉତ୍ସାହ ସୃଷ୍ଟି ହୋଇଛି। ଏହି ଗୋଟିଏ ଦିନରେ ଏକକାଳୀନ ୬ଟି ରାଜ ଯୋଗ ସୃଷ୍ଟି ହେଉଛି। ଏଣୁ ଏହା ଏକ ସୁଖ ସମୃଦ୍ଧିର ବର୍ଷ ହେବ ଜ୍ୟୋତିଷୀୟ ଆକଳନ କରାଯାଉଛି। ତେବେ ଦେଶରେ କରୋନା ସଂକ୍ରମଣ ଯୋଗୁ ଚଳିତବର୍ଷ ଅକ୍ଷୟ ତୃତୀୟାର ହର୍ଷୋଲ୍ଲାସ ରହିବନି ତଥାପି ଲୋକେ ଘରେ, ପରିବାରରେ ଅକ୍ଷୟତୃତୀୟାକୁ ଧୁମ ଧାମରେ ପାଳନ କରିବେ ବୋଲି ଅନୁମାନ କରାଯାଉଛି। ତେବେ ଆସନ୍ତୁ ଜାଣିବା ଅକ୍ଷୟୟ ତୃତୀୟାରେ କ’ଣ ରହିଛି ଖାସ ।

ବୈଶାଖ ମାସର ଶୁକ୍ଳପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏହି ଦିନଟି ଦାନ, ଧର୍ମ, ନିର୍ମାଣ ଓ ଶୁଭାରମ୍ଭ ଲାଗି ଅତ୍ୟନ୍ତ ପ୍ରକୃଷ୍ଠ ବୋଲି ବିଚାର କରାଯାଏ। ଅକ୍ଷୟ ତୃତୀୟା ପାଳିତ ହେବାକୁ ଥିବା ବେଳେ ଦେଶରେ କୃଷି ଶୁଭାରମ୍ଭ ହେବ।

ଆଜି ଯେକୌଣସି ଶୁଭ କାର୍ଯ୍ୟ କରାଯାଇପାରେ। ଏଥିରେ ନୂତନ ଗୃହ ନିର୍ମାଣ ଲାଗି ଭୂମି ପୂଜନ ଠାରୁ ଆରମ୍ଭ କରି, କୂପଖନନ, ପ୍ରତିଷ୍ଠା ଓ ନୂତନ ପ୍ରବେଶ କରାଯାଇପାରେ।

ହିନ୍ଦୁ ମାନ୍ୟତା ଅନୁସାରେ ଏହି ଦିନରେ ପବିତ୍ର ନଦନଦୀରେ ସ୍ନାନ ପୂର୍ବକ ଦାନପୂଣ୍ୟ କାର୍ଯ୍ୟ କଲେ ଅକ୍ଷୟ ଫଳ ପ୍ରାପ୍ତ ହୁଏ। ଏହାଛଡା ଅକ୍ଷୟତୃତୀୟା ସୂର୍ଯ୍ୟୋଦୟ ସମୟରେ ଶଙ୍ଖ, ନୀଚଭଙ୍ଗ, ପର୍ବତ ଯୋଗ, ଅମଳା, ଋଚକ ଓ ଶଶ ଯୋଗ ଉତ୍ପନ୍ନ ହେଉଛି। ଏହା ଛଡା ଏହି ଦିନ ମହାଦୀର୍ଘାୟୁ ଓ ଦାନ ଯୋଗ ମଧ୍ୟ ସୃଷ୍ଟି ହୋଇଛି। ଏହି ସବୁ ଯୋଗ ସୂର୍ଯ୍ୟ, ମଙ୍ଗଳ, ବୁଧ ଓ ଶନିଗ୍ରହଙ୍କ ଯୋଗୁ ସୃଷ୍ଟି ହେଉଛି।